Latest Odisha News

କେନ୍ଦୁଝରର ସବୁ ପ୍ରମୁଖ ସହରରେ କାର୍ଯ୍ୟକାରୀ ହେବ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି । ପାଣ୍ଡିଆନ୍ ଆଜି ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବହୁସଂଖ୍ୟକ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଖଣି ସମୃଦ୍ଧ ବଡ଼ବିଲର ପ୍ରଦୂଷଣ ଓ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଖୁବ୍ ଶୀଘ୍ର ୧୪୦୦ କୋଟି ଟଙ୍କାର ବଡବିଲ ରିଂ ରୋଡ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଥିଲେ । ପ୍ରଥମେ ପାଟଣା ବ୍ଲକର ଭୀମକୁଣ୍ଡକୁ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ ।

ଏହି ଅବସରରେ ପାଣ୍ଡିଆନ୍ ଭୀମକଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବା ନେଇ ସୂଚନା ଦେଇଥିଲେ । ଏ ସମ୍ପର୍କିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଯଥାଶୀଘ୍ର ପ୍ରସ୍ତୁତ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ସେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିର ଏବଂ ମସଜିଦର ପାରିପାର୍ଶ୍ୱିକ ବିକାଶ ନେଇ ଯେଉଁସବୁ ଅନୁରୋଧ ଆସିଛି, ସେ ସବୁକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଛନ୍ତି ପାଣ୍ଡିଆନ୍ । ଏହାପରେ ପାଣ୍ଡିଆନ୍ ଚମ୍ପୁଆ ଯାଇ ଚମ୍ପୁଆ ଏନଏସି ସ୍ଥିତ ଜଳ ବିଶୋଧନାଗାର(ଡବ୍ଲୁଟିପି) ପରିଦର୍ଶନ କରିଥିଲେ । ସେଠାରେ ତାଙ୍କୁ ଜାରି ରହିଥିବା ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପଟି ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ବ୍ୟତୀତ ‘ଗ୍ରାମୀଣ ମେଗା ପାଇପ୍ ଜଳ ଯୋଗାଣ’ ପ୍ରକଳ୍ପ ଚଳିତ ବର୍ଷ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ହେଉଥିବା ବିଷୟ ରେ ତାଙ୍କୁ  ଅଧିକାରୀ ମାନେ ଅବଗତ କରିଥିଲେ ।

ଏହି ଅବସରରେ ପାଣ୍ଡିଆନ୍ ‘ଜଳ ସାଥୀ’ମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ହିତପାଇଁ ସେମାନଙ୍କ କାର୍ଯ୍ୟ ବେଶ୍ ଗୁରୁତ୍ୱବହନ କରୁଛି ବୋଲି କହିଥିଲେ । ଏହା ପରେ ସେ ନେହେରୁ ଷ୍ଟାଡିୟମରେ ଏକ ସ୍ଥାନୀୟ ସମାବେଶକୁ ସମ୍ବୋଧିତ କରିଥିଲେ । ସେଠାରେ ଫ୍ଲଡ୍ ଲାଇଟର ବ୍ୟବସ୍ଥା ଆଗାମୀ ୭ ଦିନ ମଧ୍ୟରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପାନୀୟ ଜଳ ଏବଂ କୃଷକମାନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଏନେଇ ୭ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେଠାରୁ ପାଣ୍ଡିଆନ୍ବ ଡ଼ବିଲ ଗସ୍ତକରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସେ ଏନଆରସି(ପୁଷ୍ଟିକର ପୁନର୍ବାସ କେନ୍ଦ୍ର) ଏବଂ ଡାଇଲିସିସ୍ ସେଣ୍ଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ । ଏହି ସୁବିଧା ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହି ଅବସରରେ ସେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତକୁ ଶୁଣିଥିଲେ। ଏସବୁ ସୁବିଧାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଆହୁରି ବଢ଼ାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଦ୍ୱାରା ସାଧାରଣ ଜନତା ଏହାର ଅଧିକ ଲାଭ ପାଇପାରିବେ।

ଏହାପରେ, 5ଟି ସଚିବ ଯୋଡ଼ା ବ୍ଲକର ସେରେଣ୍ଡା ପରିଦର୍ଶନ କରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ । ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମିତିର ପ୍ରଶଂସନୀୟ ପ୍ରୟାସ ଦେଖି ସେ ଖୁସିବ୍ୟକ୍ତ କରିଛନ୍ତି। ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ସେ ଘୋଷଣା କରିଛନ୍ତି ଯେ ଏଣିକି ଆଦିବାସୀ ବିକାଶ ସମିତିର ୯୦୦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ । ଏନେଇ ଆବଶ୍ୟକୀୟ କାର୍ଯ୍ୟ ପାଇଁ ବିସ୍ତୃତ ମୂଲ୍ୟାଙ୍କନ କରିବାକୁ 5T ସଚିବ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ, ସେ ଯୋଡ଼ା ଫ୍ଲାଇଓଭର ସ୍ଥଳୀରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । କାର୍ଯ୍ୟ ନିର୍ଦ୍ଧାରିତ ସମୟକୁ ଆଖିରେ ରଖି ଅଗ୍ରଗତି କରୁଛି ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବବୋଲି ଉପସ୍ଥିତ ଓବିସିସି ଅଧିକାରୀମାନେ ଅବଗତ କରିଥିଲେ।

ସେଠାରୁ ପାଣ୍ଡିଆନ୍ ଯୋଡ଼ାଠାରେ ଥିବା ଜରାଶ୍ରମକୁ ପରିଦର୍ଶନରେ ଯାଇଥିଲେ । ଯେଉଁଠାରେ ବର୍ତ୍ତମାନ ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୫୦ ଜଣ ଅନ୍ତେବାସୀ ରହୁଛନ୍ତି। ସମସ୍ତଙ୍କ ଠାରୁ ସେ ସେମାନଙ୍କର ଅଭିଜ୍ଞତା ଏବଂ ମିଳୁଥିବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

Leave A Reply

Your email address will not be published.