Latest Odisha News

BREAKING NEWS

ଅଭିଜିତ ଆୟାର ମିତ୍ରଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଜେଲରୁ ମୁକୁଳିବା ଲାଗି ଅଭିଜିତ ଆୟାର ମିତ୍ରଙ୍କ ରାସ୍ତା ଏବେ ପରିଷ୍କାର ହୋଇଛି । ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କ ଉପରୁ ସମସ୍ତ ଆପରାଧିକ ମାମଲା ଗୁଡ଼ିକୁ ଓଡ଼ିଶା ରାଜ୍ୟ ସରକାର ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି ନେବା ପରେ ଏବେ ସେ ଜେଲରୁ ମୁକୁଳିପାରିବେ ।

ଗୃହ ବିଭାଗର ସୂଚନାନୁଯାୟୀ, ଅଭିଜିତ ତାଙ୍କ ଦୋଷ ସ୍ୱୀକାର କରିବା ସହିତ କ୍ଷମା ପ୍ରାର୍ଥନାର ଏକ ପତ୍ର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିଲେ । ଏହି କ୍ଷମାପ୍ରାର୍ଥନା ପତ୍ର ପାଇବା ପରେ ରାଜ୍ୟ ସରକାର ଏନେଇ ଏହି ନିଷ୍ପତ୍ତି ନେଇଛନ୍ତି ।

ଋିସର୍ଚ୍ଚ ସ୍କଲାର୍ ଅଭିଜିତଙ୍କ ଏକ କ୍ଷମା ପ୍ରାର୍ଥନା ସମ୍ବଳିତ ପତ୍ରକୁ ଡିଆଇଜି (କାରାଗାର)ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ସୋମବାର ଦିନ ପଠା ଯାଇଥିଲା । ଏବେ ଅଭିଜିତ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଅଛନ୍ତି ।

ନଭେମ୍ବର ୨୦ ତାରିଖରେ ଲିଖିତ ଏହି ପତ୍ରରେ ଜେଲରୁ ମୁକୁଳିବା ଲାଗି ଅନୁରୋଧ କରିଥିଲେ । ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ଯେହେତୁ ସେ ରାଜ୍ୟ ବିଧାନସଭା ଗୃହ କମିଟି ଆଗରେ ଦେଇଥିବା କଟୁ ମନ୍ତବ୍ୟ ଲାଗି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଗୃହ କମିଟି ମଧ୍ୟ ତାଙ୍କର କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଥିଲେ ।

ଋିସର୍ଚ୍ଚ ସ୍କଲାର ଅଭିଜିତ ଆୟାର ମିତ୍ର ଅକ୍ଟୋବର ୨୩ ତାରିଖ ଦିନ ଗୃହ କମିଟି ଆଗରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ । ଗୃହ କମିଟିରେ ହାଜର ହେବା ପରେ ସେହିଦିନ ସହିଦନଗର ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ସେହିଦିନ ହିଁ ଏସଡ଼ିଜିଏମ କୋର୍ଟରେ ହାଜର ହୋଇଥିଲେ ଅଭିଜିତ । କୋର୍ଟରେ ତାଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିବା ଫଳରେ ପୋଲିସ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦେଇଥିଲେ ।

ଅଭିଜିତଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ କମିଶନରେଟ ପୋଲିସ ତାଙ୍କୁ ଗତ ରବିବାର ଦିନ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ ।

Leave A Reply

Your email address will not be published.