Latest Odisha News

BREAKING NEWS

୩୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ବର : ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା କାଳିଆ ଟଙ୍କା । ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ରବି ଋତୁ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ପବିତ୍ର ଓଡିଶା ଦିବସରେ ଚାଷୀ ଭାଇ ଓ ଭଉଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଆଜି ଠାରୁ ନୂଆ ଆର୍ଥିକ ବର୍ଷ ୨୦୨୧-୨୨ ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ମୁଁ ଆଜି ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଛି । କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଏହି ଯୋଜନାରେ ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୭୦୦ କୋଟି ଟଙ୍କା ଜମା କରାଗଲା । ସେହିପରି ୧୭ ଲକ୍ଷ ଜମିହୀନ ଗରିବ ଲୋକ ଲାଭବାନ ହୋଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ଆଜି ଓଡ଼ିଶାର ସ୍ବାଭିମାନ ବୃଦ୍ଧି କରିଛି । ଓଡ଼ିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡ଼ିଶା ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀକୁ ବିନା ସୁଧରେ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଆମର ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି । ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ । ଏହା ଚାଷୀର ହକ୍‌ । ଚାଷୀକୁ ତାର ହକ୍‌ ଦେବା ପାଇଁ ଆମର ଲଢେଇ ଜାରି ରହିଛି । ସ୍ୱାମୀ ନାଥନ୍ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବୀ ଜାରି ରହିବ। ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି । ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ ଜଣାଉଛି । ମାଟି ମା ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲାର ଚାଷୀଙ୍କୁ ବର୍ତ୍ତମାନ କାଳିଆ ସହାୟତା ଦିଆଯାଇଛି ।

Leave A Reply

Your email address will not be published.