ଭୁବନେଶ୍ଵର: ମାଗଣାରେ ହେବ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଚିକିତ୍ସା । ମାର୍ଚ୍ଚ ୧ରୁ ମାଗଣା ଚିକିତ୍ସା ଦେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହାଦ୍ଵାରା ଗୋପାଳନରେ ନିୟୋଜିତ ଚାଷୀମାନେ ଉପକୃତ ହେବେ । ତେବେ ପ୍ରାଣୀ ସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ଗୃହପାଳିତ ପଶୁଙ୍କ ଉପରୁ ୟୁଜର୍ସ ଫି ଛାଡ଼ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ରାଜ୍ୟର ଜନ ସାଧାରଣଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଲୋକଙ୍କ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦି ପ୍ରାଣୀଙ୍କ ଚିକିତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼ କରାଯାଇଛି । ମାର୍ଚ୍ଚ ୧ ରୁ ଏହି ନିଃଶୁଳ୍କ ଚିକିତ୍ସା ସୁବିଧା ପାଇବେ ରାଜ୍ୟବାସୀ । ଦେୟମୁକ୍ତ ସାର୍ବଜନୀନ ପ୍ରାଣୀଚିକିତ୍ସା ଓ ପ୍ରାଣୀସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ଆମେ ଏହି ନିଷ୍ପତ୍ତି ନେଇଛୁ । ମୋର ବିଶ୍ୱାସ ଏହି ନିଷ୍ପତି ନିଶ୍ଚିତ ଭାବରେ ଗୋପାଳକ ତଥା ପ୍ରାଣୀସମ୍ପଦ ବିଭାଗ ପ୍ରତି ଇଚ୍ଛା ରଖୁଥିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
Comments are closed.