Latest Odisha News

କେଜ୍ରିଓ୍ବାଲଙ୍କୁ ଟପିଯିବେ ଅତିସୀ !

ନୂଆଦିଲ୍ଲୀ: ଦିଲ୍ଲୀରେ ୧୦ବର୍ଷ ଯାଏଁ କ୍ଷମତାରେ ରହିଲା ଆମ ଆଦମୀ ପାର୍ଟି । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀରେ ବିରୋଧୀ ସିଟରେ ବସିଛି ଆପ୍ । ଆନ୍ଦୋଳନରୁ ବାହାରିଥିବା ଆପ୍ ବିରୋଧୀ ସିଟରେ ରହି ସରକାରକୁ ଜୋରଦାର ଘେରୁଛି । ଆଉ ବିରୋଧୀ ଦଳ ନେତା ଭାବେ ବରାବର ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିସୀ । ସିଏଜି ରିପୋର୍ଟ ହେଉ କି ଆମ୍ବେଦକର ଓ ଭଗତ ସିଂଙ୍କ ଫଟୋ ବିବାଦ, ତଥ୍ୟ ସହ ବିଜେପି ସରକାରକୁ ଘେରୁଛନ୍ତି । ଦିଲ୍ଲୀରେ ବିଜେପି ସରକାର ଆସିବା ପରଠୁ ରାଜନୈତିକ ପଟ୍ଟଚିତ୍ରରୁ କେଜ୍ରିଓ୍ବାଲ ଏକପ୍ରକାର ଗାଏବ ରହିଥିବା ବେଳେ ଅତିସୀ ବିରୋଧୀ ଭୂମିକାରେ ଚମକୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, କେଜ୍ରିଓ୍ବାଲଙ୍କ ଚମକ କମାଇଦେବେ କି ଅତିସୀ?

ସରକାରଙ୍କୁ ଘେରୁଛନ୍ତି ଅତିସୀ

ବିଧାନସଭାରେ ସିଏଜି ରିପୋର୍ଟ ଆସିଲେ ଆପର ମୁହଁ ବନ୍ଦ ହୋଇଯିବ ବୋଲି ଆକଳନ କରାଯାଉଥିଲା । ହେଲେ ଯେଉଁଭଳି ଭାବେ ଅତିସୀ ଏହାର ମୁକାବିଲା କଲେ ସେଥିରୁ ତାଙ୍କ ରାଜନୈତିକ ଦକ୍ଷତା ବେଶ୍ ଜଣାପଡିଲା । ପୂର୍ବ ଆପ ସରକାରଙ୍କ ନୀତିକୁ ଠିକ୍ ଦର୍ଶାଇବା ସହ ରିପୋର୍ଟ ଆଧାରରେ ତର୍କ କରି ବିଜେପିକୁ ଘେରିଲେ ଅତିସୀ । ସେହିପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଫଟୋର ସ୍ଥାନ ପରିବର୍ତ୍ତନକୁ ନେଇ ବିଜେପିକୁ ସିଧା ଟାର୍ଗେଟ୍ କରିଛନ୍ତି । ବିଜେପି ବାବା ସାହେବ ଆମ୍ବେଦକର ଓ ସହିଦ ଭଗତ ସିଂଙ୍କୁ ଅପମାନ କରିଥିବା ଅତିସୀ ଅଭିଯୋଗ କରିଛନ୍ତି । ବିଜେପି ନିଜ ଦଳିତ ଓ ଶିଖ୍ ବିରୋଧୀ ଚେହେରା ପୂରା ଦେଶ ଆଗରେ ରଖିଥିବା କହିଥିଲେ । ଖାଲି ସେତିକି ନୁହେଁ, ଦିଲ୍ଲୀ ସରକାର ପ୍ରଥମ କ୍ୟାବିନେଟ ବୈଠକରେ ମହିଳାଙ୍କୁ ମାସିକ ୨୫ଶହ ଟଙ୍କା ଦେବା ନେଇ କୌଣସି ନିଷ୍ପତ୍ତି ନେଇପାରିଲେନି । ଏହାକୁ ନେଇ ବି ଜୋରଦାର ଆଟାକ୍ କରିଥିଲେ ଅତିସୀ ।

କେଜ୍ରିଓ୍ବାଲଙ୍କୁ ଟପିଯିବେ ଅତିସୀ !

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଜାତୀୟ ରାଜନୀତିର ବଡ ଚେହେରା । ତେବେ ଦିଲ୍ଲୀ ପରାଜୟ ପରଠୁ ତାଙ୍କର ଚେହେରା ମଳିନ ପଡିଛି । ରାଜନୀତିରେ କେଜ୍ରିଓ୍ବାଲ ଚମକିବା ନା କଂଗ୍ରେସ ଚାହିଁବ ନା ବିଜେପି । ଏବେ ତ ମଦ ଦୁର୍ନୀତି ଓ ଅନ୍ୟ ମାମଲାରେ ତାଙ୍କ ବିରୋଧରେ ଆହୁରି ଫାଇଲ୍ ଖୋଲିବ । ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ବିଜେପି କେଜ୍ରିଓ୍ବାଲଙ୍କ ବିରୋଧରେ ଆକ୍ସନ ବି ନେଇପାରେ । ସିଏଜି ରିପୋର୍ଟ ଏହି କ୍ରମରେ ପ୍ରଥମ ପଦକ୍ଷେପ ଭାବେ ଦେଖାଯାଇପାରେ । ତେବେ ଏହା ଭିତରେ ଆପର ସ୍ବର ପାଲଟିଛନ୍ତି ଅତିସୀ । ପୂର୍ବରୁ କେବଳ କାମଚଳା ମୁଖ୍ୟମନ୍ତ୍ରୀ ଥିଲେ ଅତିସୀ । ତାଙ୍କ କାମକୁ ନା କେବେ କେଜ୍ରିଓ୍ବାଲ ପ୍ରଶଂସା କରିଥିଲେ ନା ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ପଦ ଦେବା ନେଇ ଇସାରା ଦେଇଥିଲେ। ତେବେ ବିଜେପି ସରକାରକୁ ସେ ଯେଉଁଭଳି ଭାବେ ଘେରୁଛନ୍ତି, ଏଭଳି ଆସନ୍ତା ୫ବର୍ଷ ଜାରି ରହିଲେ ଆଗକୁ ତାଙ୍କୁ ଅଣଦେଖା କରିପାରିବେନି କେଜ୍ରିଓ୍ବାଲ ।

କେଜ୍ରିଓ୍ବାଲଙ୍କୁ ‘ଅତିସୀ ଚିନ୍ତା’ !

ଅତିସୀଙ୍କୁ ସବୁଠୁ ବିଶ୍ବାସଯୋଗ୍ୟ ଭାବି ହିଁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲେ କେଜ୍ରିଓ୍ବାଲ । ତେବେ ରାଜନୀତିରେ ସବୁଠୁ ବିଶ୍ବାସଯୋଗ୍ୟ ବ୍ୟକ୍ତି ସବୁଠୁ ବଡ ଶତ୍ରୁ ହେବାର ଇତିହାସ ରହିଛି । କ୍ଷମତାର ମୋହ ହିଁ ଏମିତି ଯେ ରାଜନୀତିରେ ମନ ବଦଳିବାକୁ ସମୟ ଲାଗେନି । ରାଜନୀତିରେ ଜୀତନ ରାମ ମାଞ୍ଝି ଅଛନ୍ତି ତ ପନୀର ସେଲଭମଙ୍କ ଭଳି ବିଶ୍ବସ୍ତ ସହଯୋଗୀ ବି ରହିଛନ୍ତି । ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆ, ସୌରଭ ଭରଦ୍ବାଜଙ୍କ ପରି ବଡ଼ ନେତା ହାରିଛନ୍ତି । ତେବେ ଅତିସୀ ନିଜ ବିଜୟର ସେଲିବ୍ରେସନ୍ କରିଥିଲେ । ଏହାକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ୍ କରିଥିଲା । ଏପରିକି କେଜ୍ରିଓ୍ବାଲ ଅତିସୀଙ୍କୁ ହରାଇବାକୁ ଚାହୁଁଥିଲେ, ହେଲେ ନିଜେ ହାରିଗଲେ । ପୂରା ନିର୍ବାଚନରେ ଅତିସୀଙ୍କ ପୋଷ୍ଟର ବି ଲଗାଇବାକୁ ଦେଇନଥିଲେ କେଜ୍ରିଓ୍ବାଲ । ତେବେ ବାଜି ଓଲଟା ପଡିଗଲା ବୋଲି କହିଥିଲେ ବିଜେପି ନେତା ଅନୁରାଗ ଠାକୁର ।

Comments are closed.