Latest Odisha News

BREAKING NEWS

ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଯୋଜନା, ସ୍କୁଲ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ସ୍କୁଲ ପହଞ୍ଚି ପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂତନ ଯୋଜନା। ଏହି ଯୋଜନା ମାଧ୍ୟମରେ ସଭିଏଁ ସ୍କୁଲ ଯିବେ। ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଆରମ୍ଭ ହେଲା ନିଆରା ବ୍ୟବସ୍ଥା। ଏଣିକି ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ। ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂର ଥିବାରୁ ଛାତ୍ରଛାତ୍ରୀମାନେ ଅଧାରେ ପାଠପଢା ଛାଡ଼ିଦିଅନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଆରମ୍ଭ କରିଛି ଏହି ନିଆରା ବ୍ୟବସ୍ଥା। ସମସ୍ତ ଯାତାୟାତ ଖର୍ଚ୍ଚ ବହନ କରିବେ ମୋହନ ସରକାର। ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢିବ। ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇବ। ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାକୁ ଲାଗୁ କରିବ। ସେଥିପାଇଁ ଓସେପା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯଦି ୧ କିଲୋମିଟରରୁ ଅଧିକ ଯିବାକୁ ପଡୁଥିବ ତେବେ ସେହି ଛାତ୍ରଛାତ୍ରୀ ଅର୍ଥରାଶି ପାଇବେ। ସେହିପରି ଉଚ୍ଚ ପ୍ରାଥମିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ୩ କିଲୋମିଟର ଓ ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ୫ କିଲୋମିଟରରୁ ଅଧିକ ଦୁରତାର ବିଦ୍ୟାଳୟ ଯାଉଥିଲେ ସରକାର ବହନ କରିବେ ଯାତାୟତ ଖର୍ଚ୍ଚ। ଏହି ବାବଦକୁ ବର୍ଷକୁ ଜଣେ ଛାତ୍ର ୬ହଜାର ଟଙ୍କା ପାଇବେ। ବିଦ୍ୟାଳୟରେ ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ହେଲେ ଏହି ଅର୍ଥରାଶି ପାଇବାକୁ ଛାତ୍ରଛାତ୍ରୀ ଯୋଗ୍ୟ ହେବେ ବୋଲି ଓସେପା ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.