Latest Odisha News

BREAKING NEWS

ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭୁବନେଶ୍ବର ଲୋକସେବା ଭବନର ସମ୍ମିଳନୀ କକ୍ଷରେରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ଟି ରାଜ୍ୟରୁ ଆସିଥିବା ଲକ୍ଷପତି ଦିଦିଙ୍କୁ ସ୍ବାଗତ କରି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ।

ଏହା ଏକ କେବଳ ଜନକଲ୍ୟାଣକାରୀ ଯୋଜନା ନୁହେଁ, ବରଂ ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି ଅଟେ । ମହିଳାମାନେ ଏକ ପ୍ରଗତିଶୀଳ ସମାଜର ଆଧାର ଅଟନ୍ତି । ମହିଳା ସଶକ୍ତିକରଣ ମାତ୍ର ଏକ ସ୍ଲୋଗାନ ନୁହେଁ, ଦେଶର ଅଧା ଜନସଂଖ୍ୟା ପ୍ରତି ଆମର ପ୍ରତିବଦ୍ଧତା ଅଟେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଦେଶର ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ମାତ୍ର ବର୍ଷକ ଭିତରେ ରାଜ୍ୟରେ ୧୬ ଲକ୍ଷ ୪୦ ହଜାର ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ଏବଂ ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ରାଜ୍ୟରେ ମହିଳାଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ଏଯାବତ୍ ମୋଟ ୧୭ ହଜାର ୫୦୦ କୋଟି ଟଙ୍କାର ଋଣ ମହିଳାଙ୍କୁ ପ୍ରଦାନ କରାଯାଇଛି ଯାହା ଲକ୍ଷପତି ଦିଦି ସୃଷ୍ଟି ରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିଙ୍କ ଉପରେ ଆଧାରିତ କଫି ଟେବୁଲ୍ ବୁକର ଉନ୍ମୋଚନ କରିଛନ୍ତି ।

ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, କୋଟିପତି ବନିବେ ଲକ୍ଷପତି ଦିଦି । ଶିଳ୍ପପତି ଭାବେ ପରିଗଣିତ ହେବେ । ବର୍ଷକ ମଧ୍ୟରେ ଓଡ଼ିଶା ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛି । ଆଗକୁ ଲକ୍ଷପତି ଦିଦି କରୋଡ଼ପତି ଦିଦି ହେବେ ବୋଲି ସେ କହିଛନ୍ତି ।

ଲକ୍ଷପତି ଦିଦି ହେଉଛନ୍ତି ଓଡ଼ିଶାର ଅସଲ ଶକ୍ତି । ଭାରତର ଅର୍ଥନୀତି ସଶକ୍ତ କରିବାରେ ଲକ୍ଷପତି ଦିଦି ମାନଙ୍କର ବଡ଼ ଭୂମିକା ରହିଛି । ଲକ୍ଷପତିରୁ କୋଟିପତି ଆଡ଼କୁ ସମସ୍ତେ ବଢ଼ିବେ । ରାଜ୍ୟର ମହିଳାମାନଙ୍କ ସଶକ୍ତିକରଣ ପାଇଁ ମୂଖ୍ୟମନ୍ତ୍ରୀ ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.