କଟକ: ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ଶିକାର ମାମଲାକୁ ପିସିସିଏଫ ଅଫିସରୁ ହାଇକୋର୍ଟରେ ଅସ୍ପଷ୍ଟ ତଥ୍ୟ ଦାଖଲ ହୋଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ)ଙ୍କ ଅଫିସର ଜଣେ ପ୍ରମୁଖ ସଂରକ୍ଷକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ୫ ଜୁଲାଇ ୨୦୨୨ରେ ହାଇକୋର୍ଟରେ ଏଡି ସତ୍ୟପାଠ ଦାଖଲ ହୋଇଥିଲା ।
ଗୀତା ରାଉତ ହାଇକୋର୍ଟରେ ହାତୀ ଶିକାରକୁ ନେଇ ଏକ ପିଟିସନ ଦାଖଲ କରିଥିଲେ । ଏହାର ଉତ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡିଶନାଲ ଷ୍ଟାଣ୍ଡିଂ କାଉନସେଲ ପିସିସିଏଫଙ୍କ ସତ୍ୟପାଠ ଦାଖଲ କରିଛନ୍ତି ।
୨୦୧୭ରୁ ୨୦୨୨ ମଧ୍ୟରେ ରାଜ୍ୟରେ ମୋଟ୍ ୧୪ଟି ହାତୀ ଶିକାର ହୋଇଥିବା ବନ ବିଭାଗ ନିକଟରେ ମାମଲା ପଞ୍ଜୀକରଣ ହୋଇଛି । ଏଥିରେ ୪ଟି ମାଇ ହାତୀ ଏବଂ ୧୦ଟି ପୁରୁଷ ହାତୀଙ୍କୁ ହତ୍ୟା କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି ।
ଏ ସମସ୍ତ ମାମଲାରେ ମୋଟ୍ ୩୦ ଜଣ ଗିରଫ ହୋଇ କୋର୍ଟରେ ଦାଖଲ କରିଛନ୍ତି । ସେ ଭିତରୁ ୧୧ଟି ମାମଲା ବନ୍ୟଜନ୍ତୁ ସୁରକ୍ଷା ଆକ୍ଟ ୧୯୭୨ରେ ମାମଲା ରୁଜୁ ହୋଇଛି । ମୋଟ୍ ୧୪ଟି ମାମଲାରୁ ୫ଟି କୋର୍ଟରେ ବିଚାରଧୀନ ରହିଛି । ଅନ୍ୟ ୯ଟି ର ତଦନ୍ତ ଚାଲୁ ରହିଛି । ଏବଂ ଏହି ୯ଟି ମାମଲାରେ ବନବିଭାଗ ତଦନ୍ତକାରୀ ଅଫିସର ୧୭ଟି ହାତୀ ଦାନ୍ତ ଜବତ କରିଛନ୍ତି ।
ତେବେ କୋର୍ଟ ଏହି ସତ୍ୟପାଠକୁ ଅସ୍ପଷ୍ଟ କହିଛନ୍ତି । ଏଥିରେ ଦିଆଯାଇଥିବା ସଂଖ୍ୟା ଅସ୍ପଷ୍ଟ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ପିସିସିଏଫ ହାଇକୋର୍ଟରେ ନିଜେ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ପ୍ରତ୍ୟେକ ଘଟଣା ବିଷୟରେ ଗୋଟିଗୋଟି କରି ତଥ୍ୟ ଦାଖଲ କରିବେ ।
ଘଟଣାସ୍ଥଳ, ଏତଲା ସହ କାର୍ଯ୍ୟାନୁଷ୍ଠାନ, ସନ୍ଦିଗ୍ଧ ଏବଂ ଅଭିଯୁକ୍ତଙ୍କ ତାଲିକା, ଅଭିଯୁକ୍ତଙ୍କ ଗିରଫଦାରୀ, ଅଧାରେ ଅଟକିଥିବା ମାମଲାର ସଂପୂର୍ଣ୍ଣ ତଥ୍ୟ ବିଚାରଧୀନ ମାମଲାର ସ୍ଥିତାବସ୍ଥା ଏବଂ ଦୋଷୀ ସାବ୍ୟସ୍ତ ତଥ୍ୟ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.