Latest Odisha News

BREAKING NEWS

Odisha Heatwave Relief: ବର୍ଷା ଆସିଲା, ହେଲେ ବର୍ଷିଲାନି…ଜୁଲାଇ ପହିଲାରୁ ଗାଜିବ ବର୍ଷା! ୨ ବେଳକୁ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟକୁ ଏବେ ଦକ୍ଷିଣ ମୌସୁମୀ ବାୟୁ ଗ୍ରାସ କରିଥିବା ବେଳେ, ଅନେକ ସ୍ଥାନରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ତଥାପି ବର୍ଷା ଦିନ ଭଳି ବଡ ବର୍ଷା ଅନୁଭୂତ ହେଉନାହିଁ, ଗରମ ଏବଂ ଗୁଳୁଗୁଳି ବଜାୟ ରହିଛି । ଗୁଳୁଗୁଳି ଏବଂ ତାତିରେ ଆଉଟୁପାଉଟ ହେଉଛନ୍ତି ଲୋକେ । ହେଲେ ଆସନ୍ତା ଏକରୁ ଦୁଇ ଦିନ ମଧ୍ୟରେ ପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆକାଶ ମେଘାଚ୍ଛନ୍ନ ରହିବା ସହ ତାପମାତ୍ରା କମିବ ଏବଂ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ। ଆହୁରି ବଢିବ ବର୍ଷା । ଆସୁଛି ବଡ ଲଘୁଚାପ ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହିବ। ଏହାର ପ୍ରଭାବରେ ଦିନର ତାପମାତ୍ରାରେ ଉଲ୍ଲେଖନୀୟ ଭାବେ ହ୍ରାସ ଘଟିବ। ଶନିବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ, ଘଡ଼ଘଡ଼ି ଓ ବର୍ଷା ହୋଇଥିଲା। ଏହା ମୌସୁମୀ ବାୟୁ ସକ୍ରିୟ ହେବାର ପ୍ରାରମ୍ଭିକ ସଙ୍କେତ ବୋଲି କୁହାଯାଉଛି।

ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ, ଜୁଲାଇ ୫ କିମ୍ବା ୬ ତାରିଖ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ଜାରି ରହିବ। ତେବେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଥିବାରୁ ଗୁଳୁଗୁଳି ଅନୁଭୂତ ହୋଇପାରେ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨ ଜୁଲାଇ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପୂର୍ବରୁ ଜୁନ୍ ୩୦ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ (Cyclonic Circulation) ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହୋଇପାରେ।

ପୂର୍ବାନୁମାନ ଅନୁସାରେ, ଜୁଲାଇ ୧ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। କିନ୍ତୁ ଜୁଲାଇ ୨ରୁ ୮ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି, ମୌସୁମୀ ଆଗମନ ସତ୍ତେ୍ୱ ଏଯାଏ ରାଜ୍ୟରେ ବ୍ୟାପକ ବର୍ଷା ହୋଇନାହିଁ । ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୫୨% ବର୍ଷା କମ୍ ରହିଛି । ହେବା କଥା ୧୮୧.୬ ମିଲିମିଟର, ହୋଇଛି ମାତ୍ର ୮୭ ମିମି । ମୋଟାମୋଟି ପୂରା ରାଜ୍ୟରେ ବର୍ଷା ଅଭାବ ସ୍ଥିତି । ୧୧ ଜିଲ୍ଲାରେ ୬୦%ରୁ ୭୬% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ରହିଛି । ଦେବଗଡ଼ରେ ୭୬%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୭୨%, ସୁନ୍ଦରଗଡ଼ରେ ୭୦%, ମାଲକାନଗିରିରେ ୬୯%, ପୁରୀରେ ୬୫%, ଅନୁଗୁଳରେ ୬୪%, ବଲାଙ୍ଗିରରେ ୬୪%, ବୌଦ୍ଧରେ ୬୪%, ନୂଆପଡ଼ାରେ ୬୩%, ଯାଜପୁରରେ ୬୩% ବର୍ଷା ସ୍ୱାଭାବିକଠାରୁ ନିଅଣ୍ଟିଆ ରହିଛି । ଏହାବାଦ୍ ଆଉ ୧୭ଟି ଜିଲ୍ଲାରେ ବି ବର୍ଷା କମ୍ ରହିଛି । ବିଶେଷ ବର୍ଷା ନଥିବାରୁ ଗରମ ଓ ଗୁଳୁଗୁଳି ପ୍ରକୋପ ନାକେଦମ କରୁଛି । ଉପକୂଳ ଓଡ଼ିଶାରେ ଆର୍ଦ୍ରତା ମାତ୍ରା ଅଧିକ ଥିବାରୁ ଭୀଷଣ ଗୁଳୁଗୁଳି ଲାଗି ରହିଛି ।

ପାଣିପାଗ ବିଭାଗ କହିଛି, ୩୦ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । ଆସନ୍ତା ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ୩୦ରୁ ଅଧିକାଂଶ ଜାଗାରେ ବର୍ଷା ହୋଇପାରେ । ଶନିବାର ଦିନ ଭିତରେ କେନ୍ଦୁଝର, ଦାରିଙ୍ଗିବାଡ଼ି, କୋରାପୁଟରେ ଅସରାଏ ଲେଖାଏଁ ବର୍ଷା ହୋଇଥିବାବେଳେ ଆଉ କିଛି ଜାଗାରେ ସାମାନ୍ୟ ବର୍ଷା ହୋଇଥିଲା।

ସେପଟେ ମୌସୁମୀ ବାୟୁ ସକ୍ରିୟ ହେବା ଏବଂ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରାଜ୍ୟରେ ବର୍ଷାର ପରିମାଣ ବଢ଼ାଇବ। ଏହା କେବଳ ସାଧାରଣ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ଦେବ ନୁହେଁ, ବରଂ ଧାନ ଚାଷ ସହ ଅନ୍ୟାନ୍ୟ କୃଷି କାର୍ଯ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହେବ।

ପାଣିପାଗ ବିଶେଷଜ୍ଞମାନଙ୍କ ମତରେ, ଜୁଲାଇ ପ୍ରଥମ ସପ୍ତାହରୁ ରାଜ୍ୟରେ ବର୍ଷାର ପ୍ରଭାବ ଆହୁରି ବଢ଼ିବ ଏବଂ ମୌସୁମୀ ବର୍ଷା ଅଧିକ ସକ୍ରିୟ ହେବ।

Leave A Reply

Your email address will not be published.