Latest Odisha News

BREAKING NEWS

ଚିନ୍ତା ବଢ଼ାଇଲାଣି ଅଂଶୁଘାତ: ରାଜ୍ୟରେ ୯୬ ମୃତ, ୧୪୪୫ ଜଣ ଅସୁସ୍ଥ

ଭୁବନେଶ୍ୱର: ଖରା ତାତିରେ ଜଳୁଛି ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇଛି। ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଏଭଳି ଗ୍ରୀଷ୍ମପ୍ରବାହ ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ସଂଖ୍ୟା ବୃଦ୍ଧି ସହ ଅସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ସାରା ରାଜ୍ୟରେ ଅଂଶୁଘାତରେ ୯୬ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି। ଗତ ତିନି ଦିନ ମଧ୍ୟରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ରାଜ୍ୟରେ ବର୍ତ୍ତମାନ ଅଂଶୁଘାତ ଜନିତ ଅସୁସ୍ଥ ସଂଖ୍ୟା ୧୪୪୫ ଛୁଇଁଛି। ସରକାରୀ ଭାବେ ୯ ଜଣଙ୍କ ଅଂଶୁଘାତଜନୀତ ମୃତ୍ୟୁ ହୋଇଛି। ୮୧ ଟି ମାମଲା ବ୍ୟବଚ୍ଛେଦ ରିପୋର୍ଟ ବିଚାରାଧୀନ ରହିଛି। ସୂତ୍ରରୁ ପ୍ରକାଶ ଯେ ଅଂଶୁଘାତ ଯୋଗୁଁ ରାଜ୍ୟରେ ମୋଟ ୯୬ ଜଣଙ୍କର ମୃତ୍ୟୁ ହୋଇଛି। ସରକାର ନିଶ୍ଚିତ କରିଛନ୍ତି ଯେ ମେ ୩୦ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ୪୨ଟି ମାମଲା ମଧ୍ୟରୁ ୬ଟି ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ୬ଟି ଅନ୍ୟ କାରଣରୁ ମୃତ୍ୟୁ ଘଟିଛି। ସେହିଭଳି ଗତ ତିନି ଦିନ ମଧ୍ୟରେ ହୋଇଥିବା ୫୪ଟି ମାମଲା ମଧ୍ୟରୁ ୩ଟି ମାମଲା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ନିଶ୍ଚିତ ହୋଇଛି।

ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବଳବତ୍ତର ରହିଛି। ଶୁକ୍ରବାର ପରି ଶନିବାର ମଧ୍ୟ ଟିଟିଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ପାରଦ ୪୬ ଡିଗ୍ରୀ ଛୁଇଁଛି। ୧୨ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଆଜି (ରବିବାର) ମଧ୍ୟ ପଶ୍ଚିମ ଓଡ଼ିଶାର ବରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡା ଜିଲାକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ସୋମବାରରୁ ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା କମିବା ସମ୍ଭାବନା ରହିଛି। ଦିନ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀକୁ ଖସି ଆସିବ ଏବଂ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ଆଜି ଟିଟିଲାଗଡ, ନୂଆପଡ଼ା, ବଲାଙ୍ଗିର ଏବଂ ବରଗଡରେ ଦିନ ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ ରହିବା ସମ୍ଭାବନା ରହିଛି।

Comments are closed.