କଟକ: ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) ବାଟାଲିୟନ କନଷ୍ଟେବଳ ସୀପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ । ବୟସ ଯୋଗ୍ୟତା ଦୃଷ୍ଟିରୁ ଏହି ରୋକ ଲଗାଇଲେ ହାଇକୋର୍ଟ । ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଗୁରୁବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ ମାର୍ଚ୍ଚ, ୨୦୨୫ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି ।
ବୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ଯେଉଁ ନିର୍ଦ୍ଦେଶ ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ନହେବା ଅଭିଯୋଗରେ ଦାୟର ଆବେଦନର ଶୁଣାଣି କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । ହାଇକୋର୍ଟର ଏକକ ଖଣ୍ଡପୀଠଙ୍କ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ଏହି ପ୍ରାର୍ଥୀମାନଙ୍କୁ ସୁଯୋଗ ଯୋଗାଇ ଦିଆଯିବ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଏହି ‘ଅଧିକ ବୟସ୍କ’ ପ୍ରାର୍ଥୀମାନଙ୍କ ପାଇଁ ପରୀକ୍ଷା କରାଯାଇଥିଲା। ତଥାପି, ଏହି ପରୀକ୍ଷାର ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।
ସୂଚନାଯୋଗ୍ୟ, କୋଭିଡ କାରଣରୁ ପ୍ରାୟ ୩ ବର୍ଷ ଯାଏଁ ଆଇଆରବି କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା । କୋରୋନା କାଳ ଅତିକ୍ରମ କଲାପରେ ପ୍ରାୟ ୧୮ ଶହ ଆଇଆରବି କନଷ୍ଟେବଳ ସିପାହୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ବୟସ କାରଣରୁ ଅନେକ ଚାକିରି ଆଶାୟୀ ପଦବୀ ପାଇଁ ଆବେଦନ କରିବାର ସୁଯୋଗ ପାଇ ନଥିଲେ । ସେମାନେ ଏହି ମାମଲାରେ ହାଇକୋର୍ଟର ହସ୍ତକ୍ଷେପ ଲୋଡ଼ିଥିଲେ ଏବଂ ସେମାନଙ୍କୁ ବୟସ-ଛାଡ୍ ଦେବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟଙ୍କୁ ଆବେଦନ କରିଥିଲେ ।