Latest Odisha News

BREAKING NEWS

ନିୟମିତ ଦାବି, ଏପ୍ରିଲ ୩ରେ ଧାରଣା ଦେବ ସିବିଟି ଶିକ୍ଷକ ସଂଘ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକମାନେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୁବନେଶ୍ୱରରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟ ସିବିଟି ଶିକ୍ଷକ ସଂଘ (ମିଳିତ ମଞ୍ଚ ୨୦୧୬ରୁ ୨୦୨୨) ଶୁକ୍ରବାର ଏହି ସୂଚନା ଦେଇଛି।

ରାଜ୍ୟ ସରକାର ଗତବର୍ଷ ଅକ୍ଟୋବର ମାସରେ କର୍ମଚାରୀଙ୍କ ଚୁକ୍ତିଭିତ୍ତିକ ସେବା ଉଚ୍ଛେଦ କରିବା କଥା ଘୋଷଣା କରିଥିଲେ। ଏହାପରେ ସେମାନଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର। ଏହାପରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସରକାର ନିୟମିତ କରିଛନ୍ତି। ଏବେ ସେମାନେ ବିଭିନ୍ନ ସୁବିଧା ସୁଯୋଗ ପାଉଛନ୍ତି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କର୍ମଚାରୀମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ତେଣୁ ସିବିଟି ସଂଘ ଦାବି କରିଛି ସେମାନଙ୍କୁ ନିୟମିତ କରାଯାଉ।

ଏହି ବିଭାଗ ଅଧିନରେ କାର୍ଯ୍ୟରତ ୨୦୧୬-୨୨ ବ୍ୟାଚର ଶିକ୍ଷକଙ୍କ ସେବା ଆଜି ଯାଏ ନିୟମିତ ହୋଇନଥିବା ସଂଘ ଦର୍ଶାଇଛି। ଫଳରେ ପ୍ରାୟ ୧୮ ହଜାର ହାଇସ୍କୁଲ ସିବିଟି ଶିକ୍ଷକ ଅନ୍ୟ ବିଭାଗର ଶିକ୍ଷକଙ୍କ ସହ ଭେଦଭାବ କରୁଥିବା ଅନୁଭବ କରୁଛନ୍ତି ବୋଲି ସଂଘର ସଭାପତି ରାଜେନ୍ଦ୍ର ମଲ୍ଲିକ କହିଛନ୍ତି।

ହାଇସ୍କୁଲ ଶିକ୍ଷକଙ୍କ ଅବହେଳା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆସନ୍ତା ୩ ତାରିଖରେ ଭୁବନେଶ୍ୱରର ଲୋୟର ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.