Latest Odisha News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଗରିବ ଲୋକଙ୍କ ଲାଗି ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ଅକ୍ଟୋବର ୨ରୁ ହେବ କାର୍ଯ୍ୟକାରୀ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି । ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ଗରିବ ଲୋକଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ ରୂପେ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ଆଜି ସେହି ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତିକୁ ପାଳନ କରିଛନ୍ତି । ଏହି ଘୋଷଣା ଫଳରେ ରାଜ୍ୟରେ ଥିବା ଗରୀବ ଲୋକମାନେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ଏହି ଯୋଜନା ଫଳରେ ରାଜ୍ୟର ସମସ୍ତ ଗରିବ ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ।

ରାଜ୍ୟ ସରକାରଙ୍କ ଏହି ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆସନ୍ତା ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ତାରିଖରୁ କାର୍ଯ୍ୟକାରୀ ହେବା ସୂତ୍ରରୁ ଜଣାପଡ଼ିଛି ।

ଏହି ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ ଆପଣମାନେ ଜାଣନ୍ତି, ମୁଁ ସବୁବେଳେ ଖାଦ୍ୟ ସୁରକ୍ଷା ଉପରେ ଜୋର ଦେଇଆସିଛି । ୨୦୦୮ ମସିହାରୁ ଆମେ ଆପଣଙ୍କ ଟଙ୍କାରେ ଗରିବ ଲୋକଙ୍କୁ କେଜି ୨ଟଙ୍କା ହିସାବରେ ଚାଉଳ ଯୋଗାଇ ଦେଇ ଆସୁଥିଲୁ । ଏହି ଯୋଜନାର ସଫଳକୁ ଅନୁଭବ କରି ୨୦୧୩ରେ କେଜି ୧ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇବା ପାଇଁ ଆମେ ନିଷ୍ପତି ନେଇଥିଲୁ । ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହାଥିଲା ସାରା ଦେଶରେ ବୃହତ ପଦକ୍ଷେପ” । ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ ମୋଦିଙ୍କୁ ଗତ ମେ ୨୩ ତାରିଖରେ ଏକ ପତ୍ର ଲେଖିଥିଲେ ମଧ୍ୟ ତାହାର କିଛି ବିଚାର କରିନଥିବା କଥା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଆହୁରି ମଧ୍ୟ କହିଛନ୍ତି, ୨୦୧୪ରେ ମୁଁ ଆପଣମାନଙ୍କୁ ପ୍ରମିଶ କରିଥିଲି ଯେ ଆମେ ନିଜର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ । ଆପଣମାନେ ଜାଣନ୍ତି, କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେଲା ପରେ ଆମର ବହୁ ଗରିବ ଲୋକ ଏଥିରେ ସାମିଲ ହୋଇପାରି ନାହାନ୍ତି । ୨୦୧୧ ପପୁଲେସନ ଭିତ୍ତିରେ କେନ୍ଦ୍ର ରାସନ ଯୋଗାଉଛନ୍ତି । ଏଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ଏହି ସୁବିଧା ପାଇପାରୁ ନାହାନ୍ତି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମୁଁ ବହୁବାର ଚିଠି ଲେଖିଛି । କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଏ ପର୍ଯ୍ୟନ୍ତ କିଛି ବିଚାର କରି ନାହାନ୍ତି ।

ତେବେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଏହି ବ୍ୟବସ୍ଥା ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଜି ସଚିବାଳୟଠାରେ ଘୋଷଣା କରିଛନ୍ତି । ଏହି ଖାଦ୍ୟ ସୁରକ୍ଷା ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ରହିଥିବା ଗରିବଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସାରା ରାଜ୍ୟରେ ସବୁ ଗରିବ ଲୋକ ଖାଦ୍ୟ ସୁରକ୍ଷା ପାଇପାରିବେ । ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ମୁଁ ଦେବି ନାହିଁ ।

Leave A Reply

Your email address will not be published.