Latest Odisha News

BREAKING NEWS

ହାଇକୋର୍ଟରେ ହନିଟ୍ରାପ୍ ମାମଲା, ଖୋଲିବ କି ଅର୍ଚ୍ଚନାଙ୍କ ‘ନାଗ ଫାସ’ର ପୂରା ଗୁମର

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକେମଲର ଅର୍ଚ୍ଚନାଙ୍କୁ ନେଇ ଚର୍ଚ୍ଚା ଥମୁନି । ଗିରଫ ପରେ ଝାରପଡ଼ା ଜେଲରେ ଅର୍ଚ୍ଚନା ଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ଓ ରୋଚକ ତଥ୍ୟ ଆସୁଛି । ଜେଲର ଅନ୍ଧାର କୋଠରିରେ ଅର୍ଚ୍ଚନା ଅଣନିଶ୍ୱାସୀ ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ କରିଛନ୍ତି ଜାମିନ୍ ଆବେଦନ । ସେପଟେ ଏହି ହାଇ ପ୍ରୋଫାଇଲ୍ ହନିଟ୍ରାପ ମାମଲା ହାଇକୋର୍ଟରେ ପହଞ୍ଚିଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଛି ମାମଲା ।

ସେପଟେ ପୋଲିସ ତଦନ୍ତ କରୁଥିଲେ ମଧ୍ୟ ଆଉ ମୁହଁ ଖୋଲୁନି । ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ପେନ୍ ଡ୍ରାଇଭ୍, ହାର୍ଡଡିସ୍କ, ଲାପଟପରୁ ମିଳିଥିବା ତଥ୍ୟକୁ ନେଇ ପୋଲିସର ଅକଲ ଗୁଡୁମ ହୋଇଥିବା କୁହାଯାଉଛି । ଅର୍ଚ୍ଚନାଙ୍କ ସହ ଏକାଧିକ ନେତା, ମନ୍ତ୍ରୀଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ତଦନ୍ତର ଅଗ୍ରଗତି ସମସ୍ତଙ୍କୁ ଅଡ଼ୁଆରେ ପକାଇ ପାରେ । ହାଇ ପ୍ରୋଫାଇଲ୍ ଅର୍ଚ୍ଚନା ମାମଲାକୁ ନେଇ କମିଶନରେଟ୍ ପୋଲିସ ହରଡ଼ଘଣାରେ ପଡ଼ିଥିବା ବେଳେ ଦିନକୁ ଦିନ ମିଳୁଥିବା ନୂଆ ତଥ୍ୟ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଉଛି ।

ତେବେ ଅର୍ଚ୍ଚନାଙ୍କ ବେଡରୁମରେ ବ୍ଲାକମେଲର ଶିକାର ଆଉ କିଏ କିଏ ହୋଇଛନ୍ତି ? କାହା କାହା ଠାରୁ କୋଟି କୋଟି ଟଙ୍କା ଆଣି ଅର୍ଚ୍ଚନା ଗଢ଼ିଛନ୍ତି ବିଶାଳ ଅଟ୍ଟାଳିକା ? କେତେ ଥିଲା ଅର୍ଚ୍ଚନାଙ୍କ ଆୟ, କିଭଳି ଗଢ଼ିଥିଲେ ଏତେ ବଡ଼ ସାମ୍ରାଜ୍ୟ ? କିଏ ଯୋଗାଉଥିଲା ପ୍ରୋତ୍ସାହନ ? ଅର୍ଚ୍ଚନାଙ୍କ ହନିଟ୍ରାପ୍ ରାକେଟରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ଆଉ କିଏ ସାମିଲ୍ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଠୁଥିବା ବେଳେ ତଦନ୍ତ ଚାଲିଥିବା କହି ପୋଲିସ ଚୁପ୍ ରହିବା ଅଧିକ ସନ୍ଦେହ ସୃଷ୍ଟି କରିଛି ।

ଚର୍ଚ୍ଚା ହେଉଛି ଅର୍ଚ୍ଚନାଙ୍କ ହନି ଟ୍ରାପ୍‌ରେ ଫସିବା ପରେ ତାଙ୍କ ରଙ୍ଗଶାଳାକୁ ଆସିଥାନ୍ତି ବଡ଼ବଡ଼ିଆ ବାବୁ । ସୁନ୍ଦରୀ ତରୁଣୀଙ୍କ ସହ ସମ୍ପର୍କ ରଖିବା ବେଳେ ଅର୍ଚ୍ଚନା ସିକ୍ରେଟ କ୍ୟାମେରାରେ କ୍ୟାପଚର କରି ନିଅନ୍ତି । ଏଥିପାଇଁ ଅର୍ଚ୍ଚନା ଚାବି ରିଙ୍ଗ୍ ସହ ଭ୍ୟାନିଟି ଏବଂ ପେନରେ ଲାଗିଥିବା ସ୍ପାଏ କ୍ୟାମେରା ବ୍ୟବହାର କରୁଥିବା ବେଳେ ଜାଣି ପାରନ୍ତିନି ଅତିଥି । ଅର୍ଚ୍ଚନାଙ୍କ ‘ନାଗ ଫାସ’ ବୁଢ଼ିଆଣି ଜାଲ୍ ଭଳି ଲମ୍ବିଥିବା ବେଳେ ପୋଲିସ ଅଧିକ ତଥ୍ୟ ଜାଣିବା ପାଇଁ କାହିଁକି ରିମାଣ୍ଡରେ ଆଣୁନି ପୋଲିସ ତାକୁ ନେଇ ସନ୍ଦେହ ବଢ଼ୁଛି ।

Leave A Reply

Your email address will not be published.