Latest Odisha News

ବେରୋଜଗାରୀ ଦୂର କରିବା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା

ଭୁବନେଶ୍ୱର: ଦେଶରେ ବେରୋଜଗାରୀ ହାର କମିଛି। ଗତ ୪ ମାସ ତୁଳନାରେ ୨୦୨୩ ଜାନୁଆରୀରେ ବେରୋଜଗାରୀ ହାର ସର୍ବନିମ୍ନ ସ୍ତରକୁ ଖସି ୭.୪ ପ୍ରତିଶତ ରହିଛି। CMIEM ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ବେରୋଜଗାରୀ ଦୂର କରିବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୦୨୩ ଜାନୁଆରୀରେ ଓଡ଼ିଶାରେ ବେରୋଜଗାରୀ ହାର ୧.୫ ପ୍ରତିଶତ ରହିଛି।

ତେବେ ୨୦୨୨ ଡିସେମ୍ବରରେ ବେରୋଜଗାରୀ ଦୂର କରିବା କ୍ଷେତ୍ରରେ ଓଡିଶା ୨୦୨୩ ଜାନୁଆରୀ ଠାରୁ ଭଲ ପ୍ରଦର୍ଶନ କରିଥିଲା। ଡିସେମ୍ବରରେ ରାଜ୍ୟର ବେରୋଜଗାରୀ ହାର୍ ୦.୯୨ ପ୍ରତିଶତ ଥିଲା। ଯାହା ସାରା ଦେଶରେ ସର୍ବନିମ୍ନ ରହିଥିଲା। ହେଲେ ୨୦୨୩ ଜାନୁଆରୀର CMIEM ରିପୋର୍ଟ ଅନୁସାରେ ନିଯୁକ୍ତି ଦେବା କ୍ଷେତ୍ରରେ ଓଡ଼ିଶାକୁ ପଛରେ ପକାଇ ଛତିଶଗଡ଼ରେ ସର୍ବନିମ୍ନ ବେରୋଜଗାରୀ ହାର ରହିଛି। ୨୦୨୩ ଜାନୁଆରୀରେ ଛତିଶଗଡ଼ରେ ବେରୋଜଗାରୀ ହାର ୦.୫ ପ୍ରତିଶତ ଥିବା CMIEM ତା ରିପୋର୍ଟରେ କହିଛି।

ତେବେ ନିଯୁକ୍ତି ଦେବାରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି ଜାମ୍ମୁ-କାଶ୍ମୀର। ଜାମ୍ମୁ-କାଶ୍ମୀରରେ ବେରୋଜଗାରି ହାର ୨୧.୮ ପ୍ରତିଶତ ରହିଥିବା ବେଳେ ବିଜେପି ଶାସତ ହରିଆଣା ରାଜ୍ୟରେ ଏହି ହାର୍ ୨୧.୭ ପ୍ରତିଶତ କଂଗ୍ରେସ ଶାସିତ ରାଜସ୍ଥାନରେ ୨୧.୧ ପ୍ରତିଶତ ବେରୋଜଗାରି ହାର ରହିଛି। ତା ପଛକୁ ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀରେ ବେରୋଜଗାରି ହାର ୧୬.୭ ପ୍ରତିଶତ ରହିଥିବା ବେଳେ ଗୋଆରେ ୧୬.୨ ପ୍ରତିଶତ, ଆସାମ ୧୬.୧ ପ୍ରତିଶତ ଓ  ତ୍ରିପୁରାରେ ବେରୋଜଗାରି ହାର ୧୬ ପ୍ରତିଶତ ରହିଛି।

ତେବେ ନିଯୁକ୍ତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଛତିଶଗଡ଼, ଓଡ଼ିଶାକୁ ଛାଡିଦେଲେ ତାମିଲନାଡୁରେ ବେରୋଜଗାରୀ ହାର ୧.୮ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୧.୯ ପ୍ରତିଶତ ବେରୋଜଗାରି ହାର ରହିଛି।

CMIEM ଗତ ୩ ମାସର ହିସାବ ଦେଇ କହିଛି ଯେ ୨୦୨୨ ଡିସେମ୍ବର ମାସରେ ବେରୋଜଗାରି ହାର ୮.୩୦ ପ୍ରତିଶତ ଥିଲା। ତା ପୂର୍ବରୁ ନଭେମ୍ବରରେ ୮ ପ୍ରତିଶତ ଓ ସେପ୍ଟେମ୍ବର ୬.୪୩ ପ୍ରତିଶତ ରହିଥିଲା। ସେହି ଅନୁସାରେ ଚଳିତ ବର୍ଷ ଆରମ୍ଭରୁ ଦେଶର ସବୁଠାରୁ ବଡ଼ ସମସ୍ୟାରେ ସାମାନ୍ୟ ଆସ୍ୱସ୍ଥି ମିଳିଛି। ତେବେ ସହରାଞ୍ଚଳରେ ବେରୋଜଗାରି ସମସ୍ୟା ବଢ଼ିଥିବା CMIEM କହୁଛି। ଜାନୁଆରୀରେ ସହରାଞ୍ଚଳ ବେରୋଜଗାରି ହାର ୮.୫୫ ପ୍ରତିଶତ ରହିଛି। ସେହିପରି ଗ୍ରାମାଞ୍ଚଳରେ ଏହି ୬.୪୮ ପ୍ରତିଶତ କମ ରହିଛି।

Comments are closed.