ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟର ୧୩,୦୦୦ ରୁ ଅଧିକ ଆର୍ଦ୍ରଭୂମିର ପ୍ରଭାବଶାଳୀ ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବନ ବିଭାଗ ୨.୨୫ ହେକ୍ଟର ତଥା ଏହା ଠାରୁ ଅଧିକ ଅଞ୍ଚଳରେ ବିସ୍ତାରିତ ମୋଟ ୧୩,୬୬୭ ଆର୍ଦ୍ରଭୂମିର ଭୂମିଗତ ସତ୍ୟତା ଯାଞ୍ଚ କାର୍ଯ୍ୟ ହାତକୁ ନେଇଛନ୍ତି ସରକାର ।
ଏନେଇ ବନ ଅଧିକାରୀଙ୍କ କହିବାନୁଯାୟୀ, ମହାକାଶ ପ୍ରୟୋଗ କେନ୍ଦ୍ର ଦ୍ୱାରା ଆର୍ଦ୍ରଭୂମି ଚିହ୍ନଟ କରାଯାଇଛି । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଆର୍ଦ୍ରଭୂମି କର୍ତ୍ତୃପକ୍ଷଙ୍କୁ ମହାକାଶ ପ୍ରୟୋଗ କେନ୍ଦ୍ର, ଆଟଲାସ୍, ୨୦୨୧ ଦ୍ୱାରା ଚିହ୍ନଟ ହୋଇଥିବା ପ୍ରତ୍ୟେକ ଆର୍ଦ୍ରଭୂମିର ସୀମାର ଭୂମିଗତ ସତ୍ୟତା ଏବଂ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ତିନି ମାସର ସମୟସୀମା ଦେଇଥିଲେ ସର୍ବୋଚ୍ଚ କୋର୍ଟ ।
ସୁପ୍ରିମକୋର୍ଟଙ୍କ ରାୟ ପରେ, ଓଡ଼ିଶା ହାଇକୋର୍ଟ ରାଜ୍ୟରେ ଆର୍ଦ୍ରଭୂମି ସଂରକ୍ଷଣ ତଦାରଖ କରିବା ପାଇଁ ଜାନୁଆରୀରେ ଏକ ସ୍ୱତଃପ୍ରବୃତ୍ତ ଜନମତ ଆବେଦନ ଆରମ୍ଭ କରିଥିଲେ । ତେବେ ମଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଏସିଆର ସର୍ବବୃହତ ଲୁଣିଆ ଜଳ ହ୍ରଦର ପରିଚାଳନା ଏବଂ ସୁରକ୍ଷା ପାଇଁ ଦାୟୀ ଚିଲିକା ବିକାଶ କର୍ତ୍ତୃପକ୍ଷ (ସିଡିଏ)କୁ ଆର୍ଦ୍ରଭୂମି ସଂରକ୍ଷଣ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବରେ ନିୟୋଜିତ କରିଛନ୍ତି ।
ସିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ସେମାନେ ସାଟେଲାଇଟ୍ ଚିତ୍ର ମାଧ୍ୟମରେ ଚିହ୍ନଟ ହୋଇଥିବା ଆର୍ଦ୍ରଭୂମି ବିଷୟରେ ସୂଚନା ଯାଞ୍ଚ କରୁଛନ୍ତି, ସ୍ଥାନ ପରିଦର୍ଶନ କରି ଏବଂ ଗୋଟିଏ ମୋବାଇଲ୍ ସଫ୍ଟୱେର୍ ଆପ୍ଲିକେସନ୍ରେ ସେମାନଙ୍କର ଉପସ୍ଥିତି ନିଶ୍ଚିତ କରିବା ପାଇଁ ଭୌଗୋଳିକ ଭାବରେ ଭୂମିରୁ ତଥ୍ୟ ସଂଗ୍ରହ କରୁଛି । ଗ୍ରାଉଣ୍ଡ ସତ୍ୟତା ଶୀଘ୍ର ସମାପ୍ତ ହେବା ପରେ ପରେ ପ୍ରତ୍ୟେକ ଆର୍ଦ୍ରଭୂମିର ସୀମା ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ।
Comments are closed.