Latest Odisha News

BREAKING NEWS

21Heroes2021: ତାଲିକାରେ ଆଇପିଏସ୍ ଅରୁଣ ବୋଥ୍ରା

ଭୁବନେଶ୍ୱର: ଆଇପିଏସ ଅରୁଣ ବୋଥ୍ରାଙ୍କୁ ସମ୍ମାନ । ଟ୍ରାନ୍ସଫରମେଟିଭ୍ ଅର୍ବାନ୍ ମୋବିଲିଟି ଇନିସିଏଟିଭ୍ ପକ୍ଷରୁ ପ୍ରକାଶିତ ୨୦୨୧ର ୨୧ ଜଣ ହିରୋଙ୍କ ଭିତରେ ସେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଭାରତରୁ ସ୍ଥାନ ପାଇଥିବା ଦୁଇ ଜଣଙ୍କ ଭିତରେ ଅଛନ୍ତି ଓଏସଆରଟିସି ଅଧ୍ୟକ୍ଷ ତଥା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ନିର୍ଦ୍ଦେଶକ ଅରୁଣ ବୋଥ୍ରା । କରୋନା ମହାମାରୀ ସମୟରେ ସହରାଞ୍ଚଳରେ ଗମନାଗମନରୁ କ୍ରିୟାଶୀଳ କରାଇବା ପାଇଁ ସେ ନେଇଥିବା ପଦକ୍ଷେପ ପାଇଁ ତାଲିକାରେ ସେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ବିଶ୍ୱର ଟପ୍ 21 ଜଣ ପ୍ରତିଷ୍ଠିତ ବ୍ୟକ୍ତି ଅଛନ୍ତି ।

ଅରୁଣ ବୋଥ୍ରାଙ୍କୁ ପ୍ରଶଂସା କରି TUMI କହିଛି, ତାଙ୍କ ନେତୃତ୍ୱରେ ଓଡ଼ିଶାରେ ସରକାରୀ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । କୋଭିଡ୍ ସମୟରେ ସହରାଞ୍ଚଳରେ ପରିବହନ କ୍ଷେତ୍ରରେ ଡିଜିଟାଲ କାରବାର, ବସରେ ସୀମିତ ସଂଖ୍ୟକ ସିଟରେ କେବଳ ଯାତ୍ରୀ ପରିବହନ ଓ ମହାମାରୀ ସମୟରେ ସେ ନେଇଥିଲେ ବଳିଷ୍ଠ ପଦକ୍ଷେପ ।

ବସ୍‌ରେ ମାସ୍କ ପିନ୍ଧିବା, ନିୟମିତ ବିଶୋଧନୀକରଣ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅରୁଣ ବୋଥ୍ରା ନେଇଥିବା ପଦକ୍ଷେପ ଦ୍ୱାରା କୋଭିଡ୍ ସମୟରେ ସରକାରୀ ବସରେ ଯାତ୍ରା କରିବାକୁ ଲୋକଙ୍କ ମନରୁ ଭୟ ଦୂର ହୋଇଥିଲା ।

କର୍ମଚାରୀଙ୍କ ପାଇଁ ସେ ଆୟୋଜନ କରିଥିଲେ ଏକ ଭର୍ଚୁଆଲ୍ ଟ୍ରେନିଂ କାର୍ୟ୍ୟକ୍ରମ । ୧୨ଶହରୁ ଅଧିକ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଏକାଠି ଏକ ଦୁଇ ସପ୍ତାହ ଧରି ତାଲିମ କାର୍ଯ୍ୟକ୍ରମ କରିଥିଲେ ଅରୁଣ ବୋଥ୍ରା । ଯେଉଁଠାରେ ନିରାପଦ ଡ୍ରାଇଭିଂ, ଯାତ୍ରୀଙ୍କ ଯତ୍ନ ଓ ବସହୁଡ଼ିକର ଉତ୍ତମ ରକ୍ଷଣାବେକ୍ଷଣ ଆଦି ଦିଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଅରୁଣ ବୋଥ୍ରା । ୨୦୧୯ ଜୁନରେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ନିର୍ଦ୍ଦେଶକ ଭାବରେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.