Latest Odisha News

BREAKING NEWS

ଓଡ଼ିଶା ଲୋକସଭା ଏକଜିଟ୍ ପୋଲ୍: ବିଜେଡ଼ି-୧୦, ବିଜେପି-୧୦ ଏବଂ କଂଗ୍ରେସ-୧

ଭୁବନେଶ୍ୱର: ଦେଶରେ ମୋଦୀ ଓ ଓଡ଼ିଶାରେ ନବୀନ ପୁଣି କ୍ଷମତାକୁ ଫେରୁଥିବାର ସମ୍ଭାବନା ଏକଜିଟ ପୋଲରୁ ଜଣାପଡ଼ିଛି । ୨୦୧୪ ନିର୍ବାଚନ ପରି ମୋଦୀ ହାୱା ଏଥର ମଧ୍ୟ ନବୀନଙ୍କୁ ସରକାର ଗଠନ କରିବାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ବୋଲି ଏକଜିଟ ପୋଲ୍ ଫଳାଫଳରେ ଆକଳନ ହୋଇଛି ।

ଗତ ନିର୍ବାଚନରେ ନବୀନ ୧୧୭ଟି ଆସନ ପାଇ ଚତୁର୍ଥଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ୨୦୧୯ ନିର୍ବାଚନରେ ଅଦୃଶ୍ୟ ଭାବେ ମୋଦୀ ହାୱା ବହୁଥିଲେ ମଧ୍ୟ ନବୀନଙ୍କ ନେତୃତ୍ୱରେ ଆଞ୍ଚଳିକ ଦଳ ବିଜେଡ଼ିକୁ ସରକାର ଗଠନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଏକଜିଟ ପୋଲ ଫଳାଫଳରୁ ଜଣାପଡୁଛି ।

୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶର ଫଳାଫଳ ଦେଶବାସୀଙ୍କୁ ଚକିତ କରିଦେଇଥିଲା । ମୋଦୀଙ୍କ ହାୱା ଯୋଗୁଁ ବିଜେପି ନେତୃତ୍ୱରେ ଏନଡ଼ିଏ ୩୦୦ରୁ ଅଧିକ ଆସନ ହାସଲ କରି କେନ୍ଦ୍ରରେ ସରକାର ଗଠନ କରିଥିଲା । ମାତ୍ର, ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡ଼ିକୁ ୨୦ଟି ଆସନ ମିଳିଥିବା ବେଳେ ବିଜେପିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ଏଥର କିନ୍ତୁ ଏହି କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସଦ୍ୟତମ ଏକଜିଟ୍ ପୋଲ୍ କହୁଛି ।

ଜାତୀୟ ସ୍ତରରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଯେଉଁ ଏକଜିଟ୍ ପୋଲ୍ ଫଳାଫଳ ଦର୍ଶାଇଛନ୍ତି ତାହାକୁ ଆକଳନ କଲେ ୨୧ଟି ଆସନ ମଧ୍ୟରୁ ବିଜେଡ଼ିକୁ ୧୦, ବିଜେପିକୁ ୧୦ ଏବଂ କଂଗ୍ରେସ ଦଳକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି ।

କନକ ନ୍ୟୁଜ-ସମ୍ବାଦ ସର୍ଭେ ଅନୁସାରେ ଲୋକସଭା ନିର୍ବାଚନରେ ବିଜେପି ୬ରୁ ୯ଟି, ବିଜେଡ଼ି ୮ରୁ ୧୨ଟି ଆସନ ଅକ୍ତିଆର କରିପାରିବ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବା ଆଦୌ ନ ମିଳିପାରେ ବୋଲି ଜଣାପଡ଼ିଛି ।

ଓଡ଼ିଶାର ଲୋକସଭା ନିର୍ବାଚନ ଲାଗି ଯେଉଁ ୨୧ଟି ଆସନ ଲାଗି ଭୋଟଗ୍ରହଣ ହୋଇଥିଲା ସେଥିଲାଗି ଜାତୀୟ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଏକଜିଟ୍ ପୋଲ୍ ଫଳାଫଳ ଘୋଷଣା କରିଛନ୍ତି ।

ଋିପବ୍ଲିକ ଟିଭି ଅନୁସାରେ ବିଜେଡ଼ିକୁ ୧୧ଟି, ବିଜେପିକୁ ୧୦ଟି ଆସନ ମିଳିବ । ଏନଡ଼ିଟିଭି ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ବିଜେଡ଼ିକୁ ୧୦ଟି, ବିଜେପିକୁ ୧୦ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ । ଟାଇମ୍ସ ନାଓ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ, ବିଜେଡ଼ିକୁ ୮ଟି, ବିଜେପିକୁ ୧୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ । ନ୍ୟୁଜ୍ ୧୮ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ବିଜେଡ଼ିକୁ ୧୨ଟି, ବିଜେପିକୁ ୬ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ ।

ସେହିପରି ଏବିପି ନ୍ୟୁଜ୍ ଅନୁସାରେ ବିଜେଡ଼ିକୁ ୧୨ଟି ଏବଂ ବିଜେପିକୁ ୯ଟି ଆସନ ମିଳିପାରିବ । ନ୍ୟୁଜ ୨୪ର ଟୁଡ଼େଜ୍ ଚାଣକ୍ୟ ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପିକୁ ୧୪ଟି ଏବଂ ବିଜେଡ଼ିକୁ ୭ଟି ଲୋକସଭା ଆସନ ମିଳିବ ତଥା କଂଗ୍ରେସକୁ କୌଣସି ଆସନ ମିଳିପାରିବ ନାହିଁ ବୋଲି ଫଳାଫଳ ଆକଳନ କରାଯାଇଛି ।

Leave A Reply

Your email address will not be published.