Latest Odisha News

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି…
ଜ୍ଞାନୀ ଦେବାଶିଷ ମିଶ୍ର

ଦିନ ଦି’ପହରଟାରେ,
କୋଉ ଲୋକରୁ ଆସିଲ ହେ ପ୍ରଭୁ!
ଅଣ୍ଟା ଗାମୁଛାକୁ ମୁଣ୍ଡରେ ପକଉନ!
ତମ ଦେହସାରା ତ ଛତାଚିରା ଖରା,
ଗୋଟେ ମସିଆ ପାଣି ବୋତଲରେ
ବହଳେ କୋଚଟର ନେଳିଆ ଛାଇ ।
କୁଆଡ଼ୁ କିମିତି ଆସିଲ ମଉସା!

ଛାଇ ପିଠିଆ ହେଇ ବସିପଡ଼ ଟିକେ,
ଏଇ ତମ୍ବୁ ତଳେ ।

ଘର କୋଉଠି? କୋଉ ଜିଲ୍ଲା?
ଓଡ଼ିଆ ବୁଝୁଚ ତ!
ନଈକୂଳିଆ ଏରିଆ କି!
ମୋ ଘର ବି ନଈକୂଳରେ ।
ଯୋଉ ନଦୀରେ ପାଣି ଭଳି
ବହୁଥିଲା ଜୀବନ
ସେ ନଈ ତ ଏବେ ବାଲିଝୁରା,
ପାହାଡ଼କୁ ଗୁଣ୍ଡ କରି
ବଣିଆ ପୁଅ ତିଆରି କରୁଚି
କଳାରଙ୍ଗର ଅବିର ।
ହଉ ଛାଡ଼ ।

ଏ ସହରକୁ ବହୁତ ଲୋକ
ବାଧକ ଧରିକି ଆସନ୍ତି ମ ମଉସା,
ମେଡ଼ିକଲ ନ ହେଲେ କୋଅଟ ।
ଗଲାବେଳକୁ ଉଶାସ ହେଇକି ଯାଆନ୍ତି ।
ଯୋଉ ଦୁଃଖ ସବୁ ଉଭେଇଗଲା ବୋଲି ଭାବନ୍ତି,
ସେ ଦୁଃଖ ସବୁ ଏଇ ସହରରେ ଉଡ଼ୁଥାଏ ମଉସା ।

ମୁଁ ବି ଆସିଥିଲି ସେମିତି
ଏଇ ଜଳଛତ୍ରରେ ପାଣି ବାଣ୍ଟୁଚି
ଛ’ ବର୍ଷ ହେଲାଣି ।
ବର୍ଷକୁ ତିନିମାସିଆ କାମ ।
ବାକି ନ’ ମାସ ଗୋଟେ କମ୍ପାନୀର ସର୍ଭେ ।
ସର୍ଭେ ବୋଇଲେ ବୁଝୁଚ ଟି!
କାଗଜ, କଲମ, ବ୍ୟାଗ୍ ଧରି
ଗାଁ ଗାଁ ବୁଲାବୁଲି, ତାଲିକା – ଏଇ ସବୁ ।
ଭାରି ବିଜାର ।
ଏଇ ଖରା ତିନି ମାସ ମନଘେନା କାମ ମୋର ।

ସକାଳୁ ଆମ ପାଣିସେଣ୍ଟର
ସବୁଠୁ ଆଗ ଖୋଲେ ମଉସା ।

ଥରେ ଥରେ
ମାଠିଆରୁ ପାଣି ସରିଲା ବେଳକୁ
ମାଡ଼ି ଆସିଥାଏ ଅନ୍ଧାର ।
ଥରେ ଥରେ
ଶୋଷ ସରେନି ବୋଲି
କମ୍ପାନୀ ଗାଡ଼ି ପାଣି ଧରି ଧାଉଁଥାଏ
ଦିନକୁ ଛ’ ଥର ।

ଦିନେଦିନେ
ସଞ୍ଜବୁଡେ଼ ଭଡ଼ା ଘରକୁ ଫେରିଲାବେଳକୁ
ମୋ ଆଗରେ ଅଣ୍ଡା ଭଳି ଗଡ଼ୁଥାଏ
ଗୋଟେ ଜହ୍ନ ।
ମତେ ଲାଗେ,
ମୁଁ ଗୋଟେ ଅନ୍ଧାର ରଙ୍ଗର ତାୱା ଧରି ବସିଚି,
ତା’ ତଳେ ଦିନଯାକର ଯେତେକ ଖରା
ଦୁଃଖ ଭଳି ଦିକଦିକ ଜଳୁଛି ।
କିନ୍ତୁ ଅମଲେଟ ହେଇପାରୁନି
ଜହ୍ନମିତିଆ ଅଣ୍ଡାଟା ।
ହେ ହେ ହେ ।

ତେମେ ଯାଇପାରୁନଥିବ ଆଉ
ତମ ପୁଅ ଚାକିରି କରିଥିବା ଜେଗାରୁ
ଆସି ପାରୁନଥିବ ହୁଏତ!
ତମ ଜମି ଅଣବଳଦିଆ ହେଇ
ପଡ଼ି ରହିଥିବ ହୁଏତ!
ମାଉସୀ ଗାଁରେ ନା ପୁଅ ପାଖରେ!
ମୁଁ ବି କୋଉ ଆଣିପାରୁଚି
ବୋଉକୁ ପାଖକୁ!
ବୋଉମାନଙ୍କ ଭାଗ୍ୟରେ ପରା
ସାରା ଜୀବନ ଲୁହରେ ସନ୍ତୁଳି ହେବା ଲେଖା ।
ଆଚ୍ଛା ଝିଅ ଫିଅ କେସ୍ ନେଇ
ହାଇକୋର୍ଟକୁ ଡାକିଚି କି କୋଉ ଓକିଲ!
ତମ ଲେଞ୍ଜେରା କହୁଚି
କ’ଣ ଗୋଟେ ଅଦେଖା ବାଧକ ପଡ଼ିଚି ତମର ।

ସବୁର୍ କର ମଉସା
ପାଣି କି ଶୋଷ,
କି ଆମର ଏଇ ଜଳଛତ୍ର-
କେହି ବି ସବୁଦିନିଆ ନୁହନ୍ତି ମ ।
ଛାଡ଼ିବନି କି ଛିଡ଼ିବନି
ଇମିତି କୋଉ କଥା ଅଛି କହିଲ ଦୁନିଆରେ!

ହାଲିଆ ଲାଗୁଚି ଯଦି
ଗଡ଼ିପଡ଼ୁନ ଟିକେ,
ଦିନେଦିନେ ଦି’ପହରେ
କେହି କୁଆଡେ଼ ନଥିଲେ
ମୁଁ ବି ଗଡ଼ିପଡେ଼ ଟିକେ ।
ସେ ପାଖ ଟେଲର୍ ଦୋକାନରୁ
କପଡ଼ାର କଟିଂ ଟୁକୁଡ଼ା ଆଣି
ବନେଇଚି ଏ ତକିଆ,
ନେତାଙ୍କ ନମସ୍କାରିଆ ମୁହଁର ବ୍ୟାନର୍ ରେ
ଏ ଶେଯ ।
ନଈକୂଳିଆ ପବନରେ
ନିଦ କିନ୍ତୁ ମସ୍ତ୍ ହୁଏ ମଉସା ।
କିଏ ମାଠିଆ ପାଖରୁ
ଶୋଷରେ ଫେରିଯିବ ବୋଲି
ଶୋଇପାରେନି ଯାହା ।

ନିଅ ପାଣି ମୁନ୍ଦେ ନିଅ ।
ଏ ପାଣିରେ ପୁଦିନା ପଡ଼ିଚି
ଜଳଜିରା ଫେଣ୍ଟା ହେଇଚି ।
ସେପଟ ମାଠିଆ ପାଣିରେ ଦହି ମିଶିଚି ।
ଅଦା, ମରିଚ, ଭୁର୍ସୁଙ୍ଗା ପତ୍ର ମନ୍ଥା ହେଇଚି ।
ନୁଣ ଆମର ଟିକେ କମ୍,
କହିବ ଯଦି ଦେବି ଆଉ ।
ପି ଦିଅ, ଉଶାସ ନାଗିବ ।
ନ ହେଲେ ଆଉ ଟିକେ ଯାଉ ।

ତମେ କି ନୋକ କିଓ!
ବିବାକ୍ ପଥର!
ମୁଁ ଗପି ଚାଲିଚି ସେତେବେଳୁ,
ତମେ ତ ନିଦାବିଷ୍ଟୁଁ ଏକେବାର ।
ହେଇ,
ମାଠିଆ ଆଡେ଼ ଚାହିଁଚାହିଁ
ଆଉ ଜଣେ ଅଇଲାଣି ଶୋଷରେ ।
ହେ ଭାଇ!
ଦହି ନା ପୁଦିନା-
କ’ଣ ନାଗିବ ତମର!

Leave A Reply

Your email address will not be published.