Latest Odisha News

BREAKING NEWS

ବିଦେଶ ମାଟିରେ ଦେଶୀ ଖାଦ୍ୟର ଚାହିଦା, ଦୁବାଇ ଗଲା ଓଡିଶାର ସଜନା ଛୁଇଁ ଓ ପୋଟଳ

ଭୁବନେଶ୍ଵର: ବିଦେଶରେ ଓଡିଆ ଖାଦ୍ୟର ଚାହିଦା । କଳାହାଣ୍ଡିର ଆମ୍ବ, ଭେଣ୍ଡି, ଢେଙ୍କାନାଳର ସୁଆଦିଆ ଆମ୍ବ ଆଦି ଦୁବାଇ ଯିବା ପରେ ଏବେ ପୁଣି ଓଡ଼ିଆଙ୍କର ଅତିପ୍ରିୟ ସଜନା ଛୁଇଁ ଓ ପୋଟଳ ବିଦେଶକୁ ରପ୍ତାନୀ ହେଉଛି । ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ସୂଚନା ମୁତାବକ, ନାବାର୍ଡ ସହାୟତାରେ ପୋଟଳ ଏବଂ ସଜନା ଛୁଇଁ ଦୁବାଇକୁ ରପ୍ତାନୀ କରାଯାଇଛି । ଏହି ରପ୍ତାନୀ ପରେ ଚାଷୀ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ଆହୁରି ଅନ୍ୟ ସମସ୍ତ ପନିପରିବା ଚାଷ କରି ବିଦେଶକୁ ରପ୍ତାନୀ କରି ଚାଷୀଙ୍କୁ ଆହୁରି ରୋଜଗାର କ୍ଷମ କରାଯିବ ବୋଲି କୁହାଯାଇଛି । ଏହା ସହିତ ଆଗାମୀ ଦିନ ଗୁଡ଼ିକରେ ଚାଷୀ ମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ଉପରେ ବିଶେଷ ତାଲିମ ପ୍ରଦାନ କରାଯାଇ ତାଙ୍କୁ ସମ୍ପୂର୍ଣ୍ଣ ସକ୍ଷମ କରାଯିବ ।

ତେବେ ପୂର୍ବରୁ ମଧ୍ୟ ଦୁବାଇକୁ ଭେଣ୍ଡି, ପୋଟଳ, ଆମ୍ବ ଏପରିକି ଡ୍ରାଗନ ଫ୍ରୁଟ୍ ବି ଯାଇଛି । ଶେଷ ଥରକ ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଇଣ୍ଡିଗୋ କାର୍ଗୋ ଯୋଗେ ୪ କୁଇଣ୍ଟାଲ ଡ୍ରାଗନ ଫଳ ଦୁବାଇ ପଠାଯାଇଥିଲା।ବଲାଙ୍ଗିର ଜିଲାର ପାଟଣାଗଡ଼ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଫାର୍ମରେ ହୋଇଥିବା ଏହି ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହେଇଥିଲା । ତେବେ ଆଗାମୀ ଦିନରେ ଓଡ଼ିଶାରୁ ଉନ୍ନତ ମାନର କୃଷି ଉତ୍ପାଦ ବଡ଼ ଆକାରରେ ବିଦେଶକୁ ରପ୍ତାନୀ କରାଯିବା ଲକ୍ଷ୍ୟ ରହିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ।

Comments are closed.