Latest Odisha News

BREAKING NEWS

ଓଡ଼ିଆ ଯୁବକଙ୍କ ନିଆରା ‘ଗଛ ବଞ୍ଚାନ୍ତୁ’ ଅଭିଯାନ; ଅଟୋରେ କରୁଛନ୍ତି ଭାରତ ଭ୍ରମଣ

ଅନୁଗୁଳ: ଗଛ ବଞ୍ଚାଇବା ଲାଗି ଦିଲ୍ଲୀପ କୁମାର ସାହୁ ନିଆରା ଢଙ୍ଗରେ ବୁଲି ବୁଲି ଲୋକମାନଙ୍କୁ ସଚେତନତା ସୃଷ୍ଟି କରୁଛନ୍ତି । ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତିଠାରୁ ସେ ଏକ ଅଟୋରେ ଆରମ୍ଭ କରିଛନ୍ତି ତାଙ୍କର ଭାରତ ଭ୍ରମଣ କାର୍ଯ୍ୟକ୍ରମ ।

ବୃକ୍ଷ ହିଁ ଜୀବନ ଏହି ବାର୍ତ୍ତାନେଇ ୩୮ ବର୍ଷ ବୟସ୍କ ଦିଲ୍ଲୀପ ଅଟୋରେ ବିଭିନ୍ନ ସ୍ଥାନ ବୁଲି ବୁଲି ପରିବେଶ ସଚେତନତା ସୃଷ୍ଟି କରିଚାଲିଛନ୍ତି । ନିଜେ ଏକ ଭାଲୁ ପୋଷାକ ପିନ୍ଧିବା ସହିତ ଅଟୋ ଉପରେ ଏକ ପ୍ରକାଣ୍ଡ ହାତୀକୁ ସଜାଇଛନ୍ତି ଦିଲ୍ଲୀପ । ଖାଲି ସେତିକି ନୁହେଁ ତାଙ୍କ ସହିତ ତାଙ୍କ ବନ୍ଧୁ ମଧ୍ୟ ବାଘ ପୋଷାକରେ ସଜାଇ ହୋଇଛନ୍ତି ।

“ବର୍ତ୍ତମାନ ପରିବେଶ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇଯାଇଛି, ଏଥିଲାଗି ଜନସାଧାରଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତେଣୁ ପରିବେଶକୁ ଠିକ୍ ରଖିବାକୁ ହେଲେ ଆଗାମୀ ପିଢୀର ଯୁବବର୍ଗ ସମ୍ପୂର୍ଣ୍ଣ ଭାବେ ସଚେତନ ହେବାସହିତ ଏବେଠାରୁ ଗଛକଟା ବନ୍ଦ କରିବା ଉଚିତ,” ବୋଲି କହିଛନ୍ତି ଦିଲ୍ଲୀପ ।

ଭାରତ ଭ୍ରମଣ କରି ପରିବେଶ ସଚେତନତା ସୃଷ୍ଟି କରୁଥିବା ଦିଲ୍ଲୀପ ପରାମର୍ଶ ଦେଇ କହିଛନ୍ତି, ଜଙ୍ଗଲ ବିଭାଗର ନାମ ଜୀବନ ବିଭାଗ ଭାବେ ନାମିତ କରାଯାଉ ।

“ଜୁନମାସରେ ବସରେ ଯିବାବେଳେ ମୁଁ ପ୍ରବଳ ଟ୍ରାଫିକରେ ଫସିଯାଇଥିଲି । ସେତେବେଳେ ମୁଁ ଏକପ୍ରକାର ଅଣନିଶ୍ୱାସୀ ହୋଇଯାଇଥିଲି । ଲାଗୁଥିଲା ଶ୍ୱାସକ୍ରିୟା ବନ୍ଦ ହୋଇ ମୋ ଜୀବନ ଚାଲିଯିବ । ବର୍ତ୍ତମାନ ଜଳବାୟୁରେ ଆଦ୍ରତା ପରିବର୍ତ୍ତନ ହେବା ସହିତ ତାପମାତ୍ରା ବୃଦ୍ଧି ପାଉଛି, ଏହାର କାରଣ ବୃକ୍ଷଛେଦନ,” ବୋଲି କହିଛନ୍ତି ଦିଲ୍ଲୀପ ।

ଦିଲ୍ଲୀପ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଦିନ ୧୧ଟା ପରେ ଘର ବାହାରକୁ ବାହାରି ହେଉନାହିଁ । ଖରାଦିନେ ରାଜ୍ୟର ତାପମାତ୍ରା ପାଖାପାଖି ୫୦ ଡ଼ିଗ୍ରୀ ରହୁଛି । ଏହାପଛରେ ଏକମାତ୍ର କାରଣ ହେଉଛି ଜଙ୍ଗଲ ହ୍ରାସ ଏବଂ ବୃକ୍ଷଛେଦନ ।

“ଜନସାଧାରଣ ସୁସ୍ଥଭାବେ ବଞ୍ଚିବା ଲାଗି ଶୁଦ୍ଧ ଏବଂ ପ୍ରଚୁର ଅମ୍ଳଜାନ ଆବଶ୍ୟକ କରୁଥିବା ବେଳେ ବିକାଶ ନାମରେ ଆମେ ଗଛ କାଟି ଚାଲିଛନ୍ତି । ଯେଉଁପରି ଭାବେ ଗଛ କଟା ଚାଲିଛି ସୁସ୍ଥ ହୋଇ ରହିବା ସାଧାରଣ ମଣିଷ ପକ୍ଷେ ଏବେ ଦୁରୁହ ବ୍ୟାପାର ହୋଇପଡ଼ିଛି,” ବୋଲି କହିଛନ୍ତି ଦିଲ୍ଲୀପ ।

ଏବେ ଦିଲ୍ଲୀପ ନିଜ ଗାଁ’ରୁ ଆସି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି । ଏନେଇ ସେ ଏକ ହସ୍ତାକ୍ଷର କାର୍ଯ୍ୟ ହାତକୁ ନେଇଥିବା ବେଳେ ତାଙ୍କର ଏହି କ୍ୟାମ୍ପେନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସ୍ଥିର ମଧ୍ୟ କରିଛନ୍ତି ।

ଏସମ୍ପର୍କରେ ସେ ଅଟୋରେ ଦିଲ୍ଲୀ ଯାଇ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି ସ୍ଥିର କରିଛନ୍ତି ।

“ଘରେ ମୋର ସ୍ତ୍ରୀ ଏବଂ ପୁଅ ରହିଛନ୍ତି, ମୋର ଏହି ଜନ ସଚେତନତା କାର୍ଯ୍ୟକ୍ରମକୁ ପରିବାର ପକ୍ଷରୁ ବହୁତ ଉତ୍ସାହ ମିଳୁଛି,” ବୋଲି କହିଛନ୍ତି ଦିଲ୍ଲୀପ ।

Leave A Reply

Your email address will not be published.