ଭୁବନେଶ୍ବର: ଆଉ ନାହାଁନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଆଜି ସନ୍ଧ୍ୟା ୬ଟା ୧୮ ମିନିଟରେ ତାଙ୍କର ହୃଦ୍ଘାତରେ ଦେହାନ୍ତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖ ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଗତ ୧୨ ତାରିଖ ଦିନ ସେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ।
ତାଙ୍କୁ ତୁରନ୍ତ ରାଜଧାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ମସ୍ତିସ୍କାଘାତ ହୋଇଥିବା ଜଣାପଡିଥିଲା ଏବଂ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆସନ୍ତାକାଲି ଗୀତା ପଟ୍ଟନାୟକଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉରାରେ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଗୀତା ପଟ୍ଟନାୟକଙ୍କ ପରଲୋକରେ ସବୁଠି ଖେଳି ଯାଇଛି ଶୋକର ଛାୟା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି । ‘ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଶାର ସଙ୍ଗୀତ ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
Comments are closed.