Latest Odisha News

BREAKING NEWS

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଉତଥାପନ କରି ଓଡ଼ିଶା ସାଂସଦ ପ୍ରଶଂସିତ

ନୂଆଦିଲ୍ଲୀ: “ପ୍ରଥମ ଅଭିଭାଷଣ, ଚମତ୍କାର ଅଭିଭାଷଣ” । ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ମହିଳା ସଂରକ୍ଷଣ ବିଲ୍ ଆଗତ କରିବା ନେଇ ତାଙ୍କର ପ୍ରଥମ ଅଭିଭାଷଣ ଲାଗି ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିୟା ନାଇଡୁ ସ୍ୱତନ୍ତ୍ର ଭାବେ ଉଚ୍ଚ ପ୍ରଶଂସା କରିଛନ୍ତି ।

ଶ୍ରୀ ପାତ୍ର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ନିକଟରେ ସେ ସଦସ୍ୟ ରୂପେ ଶପଥ ଗ୍ରହଣ କରିଛନ୍ତି, ସେ ମଧ୍ୟ ବିଜୁ ଜନତା ଦଳର ମୁଖପାତ୍ର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ରାଜ୍ୟସଭାରେ ତାଙ୍କର ଏହି ପ୍ରଥମ ଅଭିଭାଷଣ ସମ୍ପର୍କରେ ସେ ଟ୍ୱିଟ୍ କରି ଗୃହର ଅଧ୍ୟକ୍ଷ ଏମ ଭେଙ୍କିୟା ନାଇଡୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ନିର୍ବାଚନ ପୂର୍ବରୁ କେନ୍ଦ୍ରସରକାର ମହିଳା ସଶକ୍ତିକରଣ କଥା କହୁଥିଲେ । ତେବେ ସରକାର ଗଠନ ହେବାପରେ ଏବଂ ସଂସଦର ପ୍ରଥମ ଅଧିବେଶନରେ ଏନେଇ କାହିଁକି ଚର୍ଚ୍ଚା ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ସସ୍ମିତ ।

ବିଜେଡ଼ି ସାଂସଦ ସସ୍ମିତ ପାତ୍ର ତାଙ୍କର ଏହି ପ୍ରଥମ ଅଭିଭାଷଣରେ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡ଼ି ସରକାର ହିଁ ପ୍ରଥମେ ମହିଳା ମାନଙ୍କ ଲାଗି ଉଭୟ ବିଧାନସଭା ଏବଂ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ କଥା ଉଠାଇଛନ୍ତି । ଗତବର୍ଷ ନଭେମ୍ବର ମାସରେ ଏନେଇ ଓଡ଼ିଶା ବିଧାନସଭାରେ ଏକ ବିଲ୍ ଆଗତ କରିଥିଲେ । ଏହି ବିଲଟି ମଧ୍ୟ ପାରିତ ହୋଇଥିଲା ।

ଏପରିକି ସେହିସମୟରେ ବିଜେଡ଼ି ପକ୍ଷରୁ ଏକ ପ୍ରତିନିଧିଦଳ ଦେଶର ୨୨ଟି ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟି ମହିଳାଙ୍କ ନିମନ୍ତେ ଏହି ସଂରକ୍ଷଣ ବିଲକୁ ସମର୍ଥନ କରିବାକୁ ଅନୁରୋଧ କରାଯାଇଥିଲା ।

ଏହାକୁ ଦୃଷ୍ଟିରେ ରଖି ବିଜେଡ଼ି ପକ୍ଷରୁ ନିର୍ବାଚନ ସମୟରେ ୩୩ % ଆସନରେ ମହିଳାଙ୍କୁ ଟିକଟ ବଣ୍ଟନ କରାଯାଇଥିଲା ।

ବିଜୁ ଜନତା ଦଳ ପକ୍ଷରୁ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୭ଟି ଆସନରେ ମହିଳାଙ୍କୁ ଟିକଟ ବଣ୍ଟା ଯାଇଥିବା ବେଳେ ସେଥିମଧ୍ୟରୁ ୫ଜଣ ବିଜୟ ହାସଲ କରିଥିଲେ ।

କେନ୍ଦ୍ରସରକାର ଏହି ବିଲଟିକୁ ସମର୍ଥନ କରିବା ସହିତ ଯଥାଶିଘ୍ର ଏହାକୁ ସଂସଦରେ ପାରିତ କରାନ୍ତୁ ବୋଲି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଏହି ଅଭିଭାଷଣରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.