ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୁଧବାର ଦିନ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସେ କହିଛନ୍ତି ଯେ ପୁରୀ ମନ୍ଦିର ଭିତରେ ନିୟମ ଉଲ୍ଲଂଘନକୁ ମୁକାବିଲା କରିବା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି ଓଡ଼ିଶା ସରକାର। ମନ୍ଦିର ପ୍ରଶାସନର ସ୍ପଷ୍ଟ ଚେତାବନୀ ସତ୍ତ୍ୱେ ବାରମ୍ବାର ନିୟମ ଉଲଂଘନ ହେଉଛିମ ଯେଉଁ କାର୍ଯ୍ୟକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। “କିଛି ଲୋକ ନିୟମକୁ ଅବମାନନା କରି ମନ୍ଦିର ଭିତରେ ମୋବାଇଲ୍ ଫୋନ୍, କ୍ୟାମେରା ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ନେଉଛନ୍ତି। ଏଥିପାଇଁ ସରକାରଙ୍କୁ କଠୋର ଆଇନଗତ ବ୍ୟବସ୍ଥା ଉପରେ ବିଚାର କରିବାକୁ ପଡିବ।
ଏପରି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ପ୍ରକୃତ ଭକ୍ତ ନୁହଁନ୍ତି ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ସେମାନେ ଦର୍ଶନ ପାଇଁ ମନ୍ଦିର ଯାଆନ୍ତି ନାହିଁ ବରଂ କେବଳ ନାଟକ ଏବଂ ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରିବା ପାଇଁ ଯାଉଛନ୍ତି।
ପ୍ରଚଳିତ ଆଇନରେ ପୂର୍ବରୁ ଅନେକ ଦଣ୍ଡ ବ୍ୟବସ୍ଥା ଥିବା ବେଳେ ସରକାର ବର୍ତ୍ତମାନ ଦଣ୍ଡକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ କିଛି ପରିବର୍ତ୍ତନ ଆଣିବା ପାଇଁ କାମ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମନ୍ଦିର ଭିତରେ ଫଟୋଗ୍ରାଫି, ମୋବାଇଲ୍ ଫୋନ୍, ସ୍ମାର୍ଟ ଚଷମା ଏବଂ କ୍ୟାମେରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଯାହା ପୁରୁଣା ଆଇନରେ ସ୍ପଷ୍ଟ ଭାବରେ ଅନ୍ତର୍ଭୁକ୍ତ ନଥିଲା।
Comments are closed.