Latest Odisha News

BREAKING NEWS

ତାମିଲନାଡୁରେ ଓଡ଼ିଆ କର୍ମଚାରୀଙ୍କୁ ନିର୍ଯ୍ୟାତନା; ଖାଦ୍ୟ ମାଗିବାରୁ ଆକ୍ରମଣ !

ତିରୁପୁର: ତାମିଲନାଡୁର ତିରୁପୁର ଜିଲ୍ଲା ଅନ୍ତର୍ଗତ ଉଥୁକୁଲିରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ପ୍ରବାସୀ ଓଡ଼ିଆ ନିର୍ଯାତନାର ଶିକାର ହୋଇଛନ୍ତି । ଏହି ଲକ୍‌ଡ଼ାଉନ୍ ସମୟରେ ଓଡ଼ିଶାରୁ ଯାଇଥିବା ଏହି କର୍ମଚାରୀମାନେ କଠିନ ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଠିକ୍ ଭାବେ ଭୋଜନ ଦିଆଯାଉନଥିବା ଅଭିଯୋଗ କରାଯାଇଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଭଲ ଖାଦ୍ୟ ଯୋଗାଇଦେବାକୁ ଦାବି କରିବା ବେଳେ ଏହି କର୍ମଚାରୀମାନେ ଲାଠି ଚାର୍ଜର ଶିକାର ହୋଇଥିବା ନେଇ ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁଯାୟୀ ଏହି କମ୍ପାନୀର ମ୍ୟାନେଜର ଏବଂ କମ୍ପାନୀର ସୁରକ୍ଷାକର୍ମୀମାନେ ପ୍ରବାସୀ ଓଡ଼ିଆ ମାନଙ୍କୁ ଆକ୍ରମଣ କରିଛନ୍ତି ।

ଏହି ଘଟଣାରେ ୪ଜଣ ମହିଳାଙ୍କ ସମେତ ୨ଜଣ ପୁରୁଷ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଭାବେ ଆହତ ହୋଇଥିବା ଏହି ବ୍ୟକ୍ତିମାନଙ୍କୁ ଚିକିତ୍ସା ବଦଳରେ ସେମାନଙ୍କୁ ଏକ ଘରେ ତାଲା ପକାଇ ରଖାଯାଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଏହି କମ୍ପାନୀର ଏକ ୟୁନିଟରେ ୧୦୦୦ ରୁ ଅଧିକ ପ୍ରବାସୀ ଓଡ଼ିଆ କାର୍ଯ୍ୟ କରୁଛନ୍ତି । ଏହି ଲକ୍‌ଡ଼ାଉନ ସମୟରେ ଅନନ୍ୟୋପାୟ ହୋଇ ଏହି ପ୍ରବାସୀ ଓଡ଼ିଆମାନେ କିଛି ରୋଜଗାର ନିମନ୍ତେ କଷ୍ଟସାଧ୍ୟ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ । ମାତ୍ର ଖାଇବାକୁ ଭାତ ସହିତ କେବଳ ରସମ୍ ଦିଆଯାଉଥିବା ପ୍ରବାସୀ ଓଡ଼ିଆମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଆ ଶ୍ରମିକମାନେ ଭଲ ଖାଦ୍ୟ ଯୋଗାଇଦେବାକୁ ଅନୁରୋଧ କରୁଥିବା ବେଳେ କମ୍ପାନୀର ସୁରକ୍ଷାକର୍ମୀ ମାନେ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିବା ନେଇ ସ୍ଥାନୀୟ ଗଣମାଧ୍ୟମକୁ ଜଣେ ପ୍ରବାସୀ ଓଡ଼ିଆ କର୍ମଚାରୀ କହିଛନ୍ତି ।

ପ୍ରବାସୀ ଓଡ଼ିଆ ମାନଙ୍କ ଉପରେ ଏହି ଲକ୍‌ଡ଼ାଉନ୍ ସମୟରେ ଏପରି ବର୍ବରୋଚିତ ଆକ୍ରମଣ ହୋଇଥିବା ଏବଂ ସେମାନଙ୍କୁ ଉଦ୍ଧାର କରିବା ନେଇ ସ୍ଥାନୀୟ ଟିଭି ଚ୍ୟାନେଲ୍ ମାଧ୍ୟମରେ ଏହି ପ୍ରବାସୀ ଓଡ଼ିଆମାନେ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.