ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ଠାରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିୟନସିପ୍ ୨୦୨୫ର ୫ମ ସଂସ୍କରଣର ଶେଷ ପର୍ଯ୍ୟୟ ସମାପ୍ତ ହୋଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଉଦୀୟମାନ ହକି ପ୍ରତିଭାମାନଙ୍କ ପାଇଁ ଏହି ୫ ଦିନିଆ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି ।
ବାଳିକା ବିଭାଗରେ ଲାଠିକଟା ହକି ଟ୍ରେନିଂ ସେଣ୍ଟର ( ଏଚଟିସି) ଚାମ୍ପିୟନ୍ ହୋଇଛି । ଏହି ଦଳ ଗୁରୁଣ୍ଡିଆ ଏଚଟିସିକୁ ୨-୧ ଗୋଲରେ ଶୁଟଆଉଟରେ ପରାସ୍ତ କରିଥିଲା । ନିର୍ଦ୍ଧାରିତ ସମୟ ଶେଷ ହେବା ପର୍ଯ୍ୟନ୍ତ ମ୍ୟାଚ୍ ୧-୧ ଗୋଲରେ ଡ୍ର ରହିଥିଲା । ବାମରା ଏଚଟିସି ବରଗାଁଓ ଏଚଟିସିକୁ ୧-୦ ଗୋଲରେ ହରାଇ ବ୍ରୋଞ୍ଜ ମେଡ଼ାଲ୍ ଜିତିଥିଲା ।
ସେହିପରି ବାଳକ ବିଭାଗରେ କୁଆଁରମୁଣ୍ଡା ଏଚଟିସି ଫାଇନାଲରେ ନୂଆଗାଁ ଏଚଟିସିକୁ ଏକ କଠିନ ପ୍ରତିଦ୍ୱନ୍ଦ୍ୱିତାରେ ୫-୩ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି । ସାଉନମରା ଏଚଟିସି ରାଜଗଙ୍ଗପୁର ଏଚଟିସିକୁ ୫-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡ଼ାଲ୍ ଜିତିଛି । ଏହି ୪ଟି ଟିମ୍ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର, ଯାହା ରାଜ୍ୟର ହକିର ପୀଠସ୍ଥଳ ଭାବେ ପରିଚିତ ।
ଓଡ଼ିଶା ନାଭାଲ ଟାଟା ହକି ହାଇ-ପରଫରର୍ମାନ୍ସ ସେଣ୍ଟର (ଓଏନଟିଏଚଏଚପିସି) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ଚାମ୍ପିୟନସିପରେ ୧୬ଟି ଫାଇନାଲିଷ୍ଟ ଟିମ୍ (୮ ବାଳକ ଓ ୮ ବାଳିକା)ର ୨୫୬ ଜଣ ଯୁବ ଖେଳାଳି ଭାରତର ଏକ ବୃହତମ ତୃଣମୂଳ ହକି ଲିଗର ଶେଷ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ କ୍ରୀଡ଼ା ନିର୍ଦ୍ଦେଶକ ଓ ହକି ପ୍ରମୋସନ କାଉନ୍ସିଲ୍ ଓଡିଶାର ସିଇଓ ଦୀପଙ୍କର ମହାପାତ୍ର, ଓଡ଼ିଶା ଖଣି ନିଗମର ମାନବ ସମ୍ବଳ ନିର୍ଦ୍ଦେଶକ ଆଲୋକ କୁମାର ପାଲ, ସୁନୀତା ଲାକ୍ରା (ଅଲିମ୍ପିଆନ୍) ପ୍ରମୁଖ ଉପସ୍ଥିତ ଥିଲେ ।
ଜୁଲାଇ ୮ରୁ ୧୨ ପର୍ଯ୍ୟନ୍ତ ଚାଲିଥିବା ଫାଇନାଲ୍ ପର୍ଯ୍ୟାୟ ଛତ୍ରପୁର (ଗଞ୍ଜାମ) ଓ ବଣାଇ (ସୁନ୍ଦରଗଡ଼)ରେ ୬୪ଟି ଟିମ୍ ଓ ୧୦୮୮ ଖେଳାଳିଙ୍କ ଅଂଶଗ୍ରହଣରେ ଆୟୋଜିତ ରାଜ୍ୟବ୍ୟାପୀ ଯୋଗ୍ୟତା ପର୍ଯ୍ୟାୟ ଶେଷ ଥିଲା । ଓଡିଶା ନାଭାଲ ଟାଟା ହକି ଏଚପିସିର ପ୍ରକଳ୍ପ ନିର୍ଦେଶକ ରାଜୀବ ସେଠ୍ ଉଦଯାପନି ସମାରୋହରେ ସାମିଲ ହୋଇ ଚାମ୍ପିୟନ୍ସ ଟିମକୁ ପୁରସ୍କୃତ କରିଥିଲେ ।
ଓଡ଼ିଶା ଖଣି ନିଗମର ଉପ-ମହାପ୍ରବନ୍ଧକ, କର୍ପୋରେଟ କମ୍ୟୁନିକେସନ ସନ୍ଦୀପ କୁମାର ସେଠୀ ହାଇ ପରଫରମାନ୍ସ ସେଣ୍ଟରର କୋଚ ରୂଡୋଲ୍ଫ ୱାରଟନ ସମାରୋହରେ ଉପସ୍ଥିତ ଥିଲେ ।
Comments are closed.