Latest Odisha News

BREAKING NEWS

Odisha Festival: ଅହମ୍ମଦାବାଦରେ ୩ ଦିନିଆ ‘ଓଡ଼ିଶା ପର୍ବ ୨୦୨୬’ ଉଦଘାଟିତ

ଭୁବନେଶ୍ଵର: ଶନିବାର ଅହମ୍ମଦାବାଦର ଗୁଜରାଟ ବିଶ୍ୱବିଦ୍ୟାଳୟ କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରଠାରେ ୩ ଦିନିଆ ‘ଓଡ଼ିଶା ପର୍ବ ୨୦୨୬’କୁ ଉଦଘାଟିତ ହୋଇଯାଇଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ରମେଶକୁମାର ସାଙ୍ଘଭି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମାର୍ଚ୍ଚ ୨୧ରୁ ୨୩ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପର୍ଯ୍ୟଟନର ଏକ ବିରଳ ପ୍ରଦର୍ଶନୀ ଅଟେ ।

ଉପମୁଖ୍ୟମନ୍ତ୍ରୀ ପରିଡ଼ା ସଭାକୁ ସମ୍ବୋଧିତ କରି ଓଡ଼ିଶା ପର୍ବକୁ ଏକ ପ୍ରମୁଖ ସାଂସ୍କୃତିକ ପ୍ରସାର କାର୍ଯ୍ୟକ୍ରମ ଭାବେ ଅଭିହିତ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶା ଏକ ଅନୁଭୂତିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଯେଉଁଠାରେ ଐତିହ୍ୟ, ଆଧ୍ୟାତ୍ମିକତା, ପ୍ରକୃତି, ଓଡ଼ିଆ ବ୍ୟଞ୍ଜନ ଏବଂ ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମିର ଏକ ଅପୂର୍ବ ସମନ୍ୱୟ ରହିଛି ।

ଅନ୍ୟପଟେ, ଉପମୁଖ୍ୟମନ୍ତ୍ରୀ ସାଙ୍ଘଭୀ ପର୍ଯ୍ୟଟନ କ୍ଷେତ୍ରରେ ଆନ୍ତଃ-ରାଜ୍ୟ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ସାଂସ୍କୃତିକ ବିଭବକୁ ଗୁଜରାଟରେ ପ୍ରଦର୍ଶିତ କରିବା ପାଇଁ ହୋଇଥିବା ଏହି ପ୍ରୟାସକୁ ସେ ପ୍ରଶଂସା କରିବା ସହ ଏହା ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି କହିଥିଲେ ।

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ, ହସ୍ତତନ୍ତ, ସୁଆଦିଆ ବ୍ୟଞ୍ଜନ ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯାଉଛି।

ଏହି ପର୍ବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓର୍ମାସ (ORMAS) ଏବଂ ମିଶନ ଶକ୍ତି ବିଭାଗର ସହଯୋଗରେ ଆୟୋଜିତ ହେଉଛି।

ଏହି ଉଦଘାଟନୀ ସମାରୋହରେ ଅହମ୍ମଦାବାଦ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣି, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲବନ୍ତ ସିଂ ଏବଂ ପର୍ଯ୍ୟଟନ ବଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ୩ ଦିନ ମଧ୍ୟରେ ପରିଦର୍ଶକମାନେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଦର୍ଶନୀ, ଓଡ଼ିଶୀ ନୃତ୍ୟ ସମେତ ପାରମ୍ପରିକ ଲୋକନୃତ୍ୟ ଓ ଜନଜାତି ନୃତ୍ୟର ପ୍ରଦର୍ଶନ, ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ତଥା ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ B2B ଏବଂ G2B ବୈଠକ ଆଦିର ଅନୁଭୂତି ପାଇପାରିବେ ।

Leave A Reply

Your email address will not be published.