ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଜମୁଛି ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ଏବଂ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପ୍ରତୀକ କୋଣାର୍କ ଚକ ପାଭିଲିୟନର ଶୋଭା ବଢ଼ାଉଛି । ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍-ୟୁନାଇଟେଡ୍ ବାଇ ଟ୍ରେଡ୍’ ବା ‘ବାଣିଜ୍ୟ ମାଧ୍ୟମରେ ଏକତା’ ।
ଏହି ଥିମ୍ ଓଡ଼ିଶା ପାଭିଲିୟନରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ପାଭିଲିୟନର ମଧ୍ୟଭାଗରେ ସୁସଜ୍ଜିତ ବୋଇତ ଉପରେ ପାରମ୍ପରିକ ହସ୍ତତନ୍ତ ଓ ହସ୍ତକଳାର ପ୍ରଦର୍ଶନ, ବିକ୍ରି ଓ ଲାଇଭ୍ ଡେମନଷ୍ଟ୍ରେସନ୍ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇପାରିଛି ।
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ୮ଟି ବିଭାଗ ଏବଂ ବିଭିନ୍ନ ସହଯୋଗୀ ସଂସ୍ଥା ଅଧୀନରେ ମୋଟ ୨୪ଟି ଷ୍ଟଲ୍ ସ୍ଥାନ ପାଇଛି । ଏହା ମଧ୍ୟରେ ରହିଛି ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଓରମାସ୍ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା’ଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଘରକରଣା, ସାଜସଜ୍ଜା ଓ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ।
ସେହିପରି ଓଡ଼ିଶାର ଆଦିବାସୀ ଜୀବନ, କଳା ଓ ସଂସ୍କୃତି ସହିତ ଏମ୍ଏସ୍ଏମ୍ଇ ଏବଂ ଓଡ଼ିଶା ପର୍ଯ୍ୟଟନର ଆକର୍ଷଣ ଓଡ଼ିଶା ପାଭିଲିୟନକୁ ସମୃଦ୍ଧ କରିଛି । ପ୍ରଗତି ମୈଦାନର ଆମ୍ଫିଥିଏଟରରେ ହଜାର ହଜାର ଦର୍ଶକ ଅତ୍ୟନ୍ତ ଉତ୍ସାହର ସହ ଦେଖିଥିଲେ ସମ୍ବଲପୁରୀ ଡାଲଖାଇ ଓ ଆଦିବାସୀ ବିର୍ଲି ନୃତ୍ୟ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ ସାମଲଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ନଭେମ୍ବର ୧୪ ରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।
Comments are closed.