ଭୁବନେଶ୍ୱର : ଭଜନ ସମ୍ରାଟ ଭିକାରୀ ବଳ ଭକ୍ତି ସଙ୍ଗୀତର ଥିଲେ ଜଣେ ଅନନ୍ୟ ପୁରୋଧା । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । କେତେବେଳେ କୋଠ ଭୋଗଖିଆ ତ ଆଉ କେତେବେଳେ ବଡ ଦେଉଳର ପାରା । ପୁଣି କେତେବେଳେ ହାତରେ ମୁଠାମୁଠା ଶରଧାବାଲି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର ଭାବଧାରା ପ୍ଳାବିତ କରେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ । ତାଙ୍କ ସଙ୍ଗୀତରେ ଥିଲା ଭାବ ଆଉ ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପାଇଁ ସମର୍ପଣର ଭାବ ।
ସେଥିପାଇଁ ତ ସେ ଭିକାରୀ ବଳରୁ ବନିଗଲେ କୋଟି ଓଡିଆଙ୍କ ହୃଦୟର ଭଜନ ସମ୍ରାଟ । ଆଜି ଏହି ମହାନ ବ୍ୟକ୍ତିଙ୍କର ଜନ୍ମ ବାର୍ଷିକୀ ।
କେନ୍ଦ୍ରାପଡ଼ା, ସୋବଳାରେ ଜନ୍ମିତ ଜଣେ ଓଡିଆ ସଙ୍ଗୀତଜ୍ଞ ଓ ଗାୟକ । ସେ ପାରମ୍ପରିକ ଓଡିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ଗାଇଥିଲେ ।
୧୯୨୯ ମସିହା ମେ ୨୫ ତାରିଖରେ ଓଡିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ବଞ୍ଚି ରହିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ ‘ଭିକାରୀ’ ରଖାଯାଇଥିଲା ।
ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ । ଯେତେବେଳେ ସେ ଆକାଶବାଣୀରେ ଗାୟକ ଭାବରେ ଯୋଗଦେବାକୁ ଆବେଦନ କରି ବିଧିବଦ୍ଧ ଭାବେ ଗାୟକ ହେବା ପାଇଁ ଚେଷ୍ଟା ଚଳାଇଥିଲେ । ସେଠାରେ ସେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ୧୯୬୩ରେ କାମ ଆରମ୍ଭ କଲେ ।
‘ପ୍ରାଣ ମିତଣି ବାରେ ଚାହାଁ’ରେ ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ । ହେଲେ ତାଙ୍କୁ ଅଧିକ ଲୋକପ୍ରିୟତା ‘କୋଠ ଭୋଗଖିଆ’ ଗୀତରୁ ମିଳିଥିଲା। ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା ।
ସେହିପରି ସେ ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି । ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।
୨୦୧୦ନଭେମ୍ବରରେ ଆରପାରିକୁ ଚାଲିଯାଇଥିଲେ ଭଜନ ସମ୍ରାଟ ।
ଆଜି ବି ତାଙ୍କ ଭଜନର ପ୍ରତିଟି ଲାଳିତ୍ୟ ଆଉ ପ୍ରତିଟି ଛାନ୍ଦ ବାରମ୍ବାର ଗୁଞ୍ଜରିତ ହୋଇଥାଏ ପ୍ରତିଟି ସ୍ପନ୍ଦନରେ।
Comments are closed.