Latest Odisha News

ସାତକୋଶିଆରେ ଶୁଭିବ ମହାବଳ ଗର୍ଜନ: ସତ ହେବ ତ ସପନ?

ଭୁବନେଶ୍ବର: ପୁଣି ସାତକୋଶିଆରେ ଶୁଭିବ ମହାବଳ ଗର୍ଜନ । ବ୍ୟାଘ୍ର ପୁନରୁଦ୍ଧାର ଯୋଜନାରେ ସାତକୋଶିଆକୁ ଆସିବେ ୧୨ରୁ ୧୪ଟି ମହାବଳ ବାଘ । ମହାବଳ ଶୂନ୍ୟ ସାତକୋଶିଆ ପୁଣି ମହାବଳ ଗର୍ଜନରେ ଫାଟି ଉଠିବ ବୋଲି କହିଛନ୍ତି ବନବିଭାଗ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଏନେଇ ନନ୍ଦ କହିଛନ୍ତି, ସାତକୋଶିଆ ଅଭୟାରଣ୍ୟକୁ ୧୨ରୁ ୧୪ଟି ମହାବଳ ଆଣିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ଏନେଇ ଏନ୍‌ଟିସିଏର ଅନୁମତି କ୍ରମେ ବ୍ୟାଘ୍ର ପୁନରୁଦ୍ଧାର ଯୋଜନା ଅନୁୟାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ସମୟ ମଧ୍ୟରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ଅଣାଯିବ ।

ତେବେ ୨୦୦୭ ବାଘ ଗଣନା ସମୟରେ ସାତକୋଶିଆ ଅଭୟାରଣ୍ୟରେ ୧୩ରୁ ୧୫ଟି ମହାବଳ ରହିଥିଲେ। ମାତ୍ର ଏବେ ଅଭୟାରଣ୍ୟ ମହାବଳ ଶୂନ୍ୟ ହୋଇଯାଇଛି। ଏବେ ଏଥିଣେ ଏନଟିସିଏର ଅନୁମୋଦନ ମିଳିବା ପରେ ଏବେ ଏହି ଯୋଜନା କେବଳ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ସଫଳ ହୋଇପାରିବ। ଅଭୟାରଣ୍ୟର କୋର୍‌ ଏରିଆ ଏବେ ଖାଲି ହୋଇଗଲାଣି। ଅନ୍ୟ ଅଞ୍ଚଳରୁ ଲୋକମାନେ ସ୍ବଇଚ୍ଛାରେ ସ୍ଥାନାନ୍ତର ହେଲେ ପ୍ରକଳ୍ପ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ।

ତେବେ ପୂର୍ବରୁ ସାତକୋଶିଆକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କଲା ବେଳେ ୧୩ରୁ ୧୫ଟି ବାଘ ରହିଥିଲେ । ହେଲେ ବିଭିନ୍ନ କାରଣରୁ ପରବର୍ତ୍ତୀ ସମୟରେ ସେମାନଙ୍କର ମୃତ୍ୟୁ ହୋଇ ପୂରା ବାଘ ଶୂନ୍ୟ ହୋଇଥିଲା ସାତକୋଶିଆ । ପରେ ୨୦୧୬ରେ ସୋତକୋଶିଆରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଥିବା ବେଳେ ୨୦୧୮ରେ ମଧ୍ୟପ୍ରଦେଶର କାହ୍ନାରୁ ମହାବୀର ଓ ବାନ୍ଧଗଡରୁ ସୁନ୍ଦରୀ ନାମକ ଦୁଇଟି ମହାବଳ ଅଣାଯାଇ ସାତକୋଶିଆରେ ଛଡାଯାଇଥିଲା । ହେଲେ ସୁରକ୍ଷା ଅଭାବରୁ ଫାସରେ ପଡି ମହାବୀରର ମୃତ୍ୟୁ ହୋଇଥିବା ବେଳେ ପରେ ସୁନ୍ଦରୀର ଆକ୍ରମଣରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହେବା ପରେ ତାକୁ ପୁଣି କାହ୍ନା ଅଭୟାରଣ୍ୟକୁ ହସ୍ତାନ୍ତର କରାଯାଇଥିଲା । ଫଳରେ ସେତେବେଳେ ଟାଇଗର ରିକଭରି ଫ୍ଲାନ୍ ଫେଲ୍ ମାରିଥିଲା । ସେବେଠୁ ମହାବଳ ଶୂନ୍ୟ ହୋଇପଡିଛି ସାତକୋଶିଆ ।

ଏବେ ପୁଣି ସାତକୋଶିଆରେ ଟାଇଗର ରିକୋଭରି ପ୍ଲାନ୍ ପାଇଁ ଅଣ୍ଟା ଭିଡିଛନ୍ତି ବନବିଭାଗ । ତେବେ ଦେଖାଯାଉ ଏହା କେତେ ଦୂର ସଫଳ ହେଉଛି? ମହାବଳଙ୍କୁ ସୁହାଇଲା ଭଳି ପରିବେଶଟିଏ ଯୋଗାଇ ପାରୁଛି କି ନାହିଁ ସାତକୋଶିଆ?

Leave A Reply

Your email address will not be published.