Latest Odisha News

BREAKING NEWS

ଆଜିଠୁ ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜିଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି ।

ଏହି ପରୀକ୍ଷା ରାଜ୍ୟର ୧୧୪୩ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୨୦୪୧ ଜୁନିୟର କଲେଜରେ ପାଖାପାଖି ୩,୫୦,୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ମାତୃଭାଷା ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି । ସେଥିରୁ କଳାରେ ୨,୨୦୪୩୭ଜଣ, ବିଜ୍ଞାନରେ ୯୭,୫୪୬ ଜଣ, ବାଣିଜ୍ୟରେ ୨୫,୭୮୫ ଏବଂ ଧନ୍ଦାମୂଳକରେ ୭,୦୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ପ୍ରାୟ ୨୦୨ଟି ପରୀକ୍ଷା ହବରେ ଆଜି ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୨୮ରେ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ୪ରୁ ଖାତା ଦେଖା ଆରମ୍ଭ ହେବ।

ଚଳିତବର୍ଷ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ଥିବା ବେଳେ ପରୀକ୍ଷାକେନ୍ଦ୍ରରେ ସ୍କ୍ୱାର୍ଡ ବ୍ୟବସ୍ଥା କଡ଼ାକଡ଼ି କରାଯିବ । ତେବେ ଯେଉଁ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ହୋଇପାରି ନାହିଁ ସମ୍ପୃକ୍ତ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଘୋଷଣା କରାଯାଇଛି । ଏହି କେନ୍ଦ୍ରଗୁଡିକରେ ପରୀକ୍ଷା ଶେଷ ହେବା ପର‌୍ୟ୍ୟନ୍ତ ସ୍ୱତନ୍ତ୍ର ସ୍କ୍ୱାଡ ଅଧିକାରୀ ଜଗି ରହିବେ । ଯଦି କୌଣସି ଅଧ୍ୟାପକ କିମ୍ବା କର୍ମଚାରୀଙ୍କ ପାଖରେ ମୋବାଇଲ ଥିବା ଜଣାପଡେ ତେବେ ତାଙ୍କ ବିରୋଧରେ ମଧ୍ୟ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ କେବଳ ଥରେ ୨ମିନିଟ୍ ଲାଗି ୟୁରିନାଲକୁ ଛଡ଼ାଯିବ । ୟୁରିନାଲକୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଏବଂ ଖାତା ଇନ୍ଭିଜିଲେଟରଙ୍କ ପାଖରେ ଦାଖଲ କରିବାକୁ ପଡିବ । ୨ମିନିଟରୁ ଯଦି କୌଣସି ପିଲା ଅଧିକ ସମୟ ରହେ ତେବେ ତୁରନ୍ତ ଯାଞ୍ଚ କରାଯିବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ରାଜ୍ୟରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ପରିକ୍ଷା ଆରମ୍ଭ କରାଯାଇଛି । ଏଥିପାଇଁ ପରିକ୍ଷା କେନ୍ଦ୍ର ମଧ୍ୟକୁ ପରିକ୍ଷାର୍ଥୀମାନଙ୍କୁ ସ୍ମାର୍ଟୱାଚ୍ ନେବା ପାଇଁ ବାରଣ କରାଯାଇଛି ।

ଖାତାଦେଖା ଲାଗି ୫୮ଟି ମାନୁଆଲ ଏବଂ ୩୩ଟି ଇ-ମୂଲ୍ୟାଙ୍କନ କେନ୍ଦ୍ର କରାଯିବ । ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅନୁଯାୟୀ ୨୪ଲକ୍ଷ ୬୫ହଜାର ଉତ୍ତରଖାତା ମୂଲ୍ୟାଙ୍କନ କରାଯିବ । ମେ ୨ୟ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

Comments are closed.