Latest Odisha News

ଫେବୃଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା: ଚାଲିଛି ଇଣ୍ଟରନାଲ, ୨ରୁ ପ୍ରାକ୍ଟିକାଲ

ଭୁବନେଶ୍ବର: ଫେବୃଆରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଆସନ୍ତା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏ ଚାଲିବ । ଏନେଇ କଲେଜମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଥିଓରୀ ପରୀକ୍ଷା ପାଇଁ ବ୍ଲାଙ୍କ ଉତ୍ତର ଖାତା ନେଇ ସିଏଚ୍ଏସ୍ଇରୁ ବିଭିନ୍ନ ସେଣ୍ଟର ଅଭିମୁଖେ ଗାଡି ବାହାରିଥିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ । ଆସନ୍ତା ବର୍ଷ ସାରା ରାଜ୍ୟରେ ମୋଟ ୧୨୭୬ଟା ସେଣ୍ଟରରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ ।  ଏନେଇ ଉତ୍ତର ଖାତା ସହ ପ୍ରାକ୍ଟିକାଲ ପରୀକ୍ଷା କନଫିଡେନସିଆଲ ଦସ୍ତାବିଜ ନେଇ ମୋଟ ୩୨ଟି ରୁଟ ଦେଇ ଗାଡି ଯାଉଛି । ଆସନ୍ତା ୨୯ ତାରିଖ ସୁଦ୍ଧା ଏହା ସେଣ୍ଟରମାନଙ୍କରେ ପହଞ୍ଚିସାରିଥିବ । ବର୍ତ୍ତମାନ ସମସ୍ତ କଲେଜରେ ଯୁକ୍ତ ଦୁଇ ପିଲାଙ୍କ ଇଣ୍ଟରନାଲ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ବର୍ଷ ଜାନୁଆରୀ ୨ରୁ ସମସ୍ତ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ।

ତେବେ କହିରଖୁଛୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଫେବ୍ରୁ୍ଆରି ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ। ସମସ୍ତ ବିଷୟର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ। ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେବାକୁ ଏବେ ସୁଦ୍ଧା ୩ଲକ୍ଷ ୯୧ ହଜାର ୮୦୯ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ରେଗୁଲାରରେ ୩ ଲକ୍ଷ ୬୪ ହଜାର ୫୨୭ ଏବଂ ଏକ୍ସରେଗୁଲାରରେ ୨୭ହଜାର ୨୮୨ଜଣ ଅଛନ୍ତି। କଳା ବିଭାଗରେ ସର୍ବାଧିକ ୨,୪୫,୯୮୭, ବିଜ୍ଞାନରେ ୧,୧୪,୭୨୩, ବାଣିଜ୍ୟରେ ୨୫,୩୯୯ ଓ ଧନ୍ଦାମୂଳକ ବିଭାଗରେ ୫,୭୦୦ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍‌ ପୂର୍ବରୁ ହଲ୍‌ରେ ପ୍ରବେଶ ସହ ସିଟ୍‌ରେ ବସିବେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ସହ ସିସିଟିଭି ବାଧ୍ୟତାମୂଳକ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.