ଚିଟଫଣ୍ଡ ଦୁର୍ନୀତି ମାମଲା: ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ । ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଶାଖାପାଟଣା ପଶ୍ଚିମ ଜୋନର ୱାଏସଆର କଂଗ୍ରେସର ପୂର୍ବତନ ବିଧାୟକ ଏମ. ବିଜୟ ପ୍ରସାଦକୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ସେ ଏବେ ଆନ୍ଧ୍ରପ୍ରଦେଶର ଶିକ୍ଷା ଓ ଭିତ୍ତିଭୂମି କଲ୍ୟାଣ ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି । ୨୦୧୯ ମସିହାରେ ତାଙ୍କ କମ୍ପାନୀ ୱେଲଫେୟାର ଏଣ୍ଡ ଇଷ୍ଟେଟ ନାଁରେ ୧୨ ଶହ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।
୨୦୧୯ ମସିହାରେ ଏମ୍. ବିଜୟ ପ୍ରସାଦଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା । ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରଭୃତି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନୀ ଟଙ୍କା ଠକେଇ କରିଛି । ଏମ୍. ବିଜୟ ପ୍ରସାଦଙ୍କ କମ୍ପାନୀ ଭୁବନେଶ୍ୱର, କଟକ, ନୟାଗଡ଼ ଜିଲ୍ଲାରେ ଶାଖା ଖୋଲିଥିଲା ।
ଗତକାଲି ବିଶାଖାପାଟଣା ପୋଲିସ ସହାୟତାରେ ବିଜୟ ପ୍ରସାଦଙ୍କ ଘର ଓ କାର୍ଯ୍ୟାଳୟରେ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଯାଞ୍ଚ ସମୟରେ ତାଙ୍କ ଘରୁ ୪୪ଲକ୍ଷ ୯୦ହଜାର ଟଙ୍କା ସହ ଅନ୍ୟ କିଛି କାଗଜପତ୍ର ଜବତ ହୋଇଛି । ଏମ୍. ବିଜୟ ପ୍ରସାଦ ଓ ତାଙ୍କ ପତ୍ନୀ ନାଁରେ ସମାନ ଠକେଇ ଅଭିଯୋଗରେ ଝାଡ଼ଖଣ୍ଡାରେ ୫ଟି କେସ୍ ରହିଛି ।
ବିଜୟ ପ୍ରସାଦଙ୍କ ୱେଲଫେର ଗ୍ରୁପ ଆଫ କମ୍ପାନୀ ୨୦୦୧ମସିହାରେ ଆରମ୍ଭ ହୋଇଥିଲା । ଏହି କମ୍ପାନୀ ସାରା ଭାରତରେ ବ୍ୟବସାୟ କରିଥିଲା । ଜମାକାରୀଙ୍କ ସଂଖ୍ୟା ଆନ୍ଧ୍ରପ୍ରଦେଶ, ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ସବୁଠାରୁ ଅଧିକ ଥିଲା । ବିଜୟ ପ୍ରସାଦଙ୍କୁ ଗିରଫ ପରେ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି କ୍ରାଇମବ୍ରାଞ୍ଚ ।
Comments are closed.