Latest Odisha News

BREAKING NEWS

ରାଜ୍ୟରେ ଥିବା କାଶ୍ମୀରିଙ୍କ ସୁରକ୍ଷା ନେଇ ଆଶ୍ୱାସନା ଦେଲେ ଓଡିଶା ପୋଲିସ

ଭୁବନେଶ୍ୱର : ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କାଶ୍ମୀରି ମାନଙ୍କ ଉପରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ରାଜ୍ୟରେ ଥିବା ସମସ୍ତ କାଶ୍ମିରୀ ଅଧିବାସୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନେଇ ଆଶ୍ୱାସନା ଦେଇଛନ୍ତି ।

ଏଯାବତ୍ ରାଜ୍ୟରେ ସେଭଳି କୌଣସି ହିଂସା ବା ନିର୍ଯ୍ୟାତନା ଦୃଷ୍ଟିଗୋରଚର ହୋଇନାହିଁ । ଓଡିଶାରେ ବସବାସ କରୁଥିବା କାଶ୍ମୀର ବ୍ୟକ୍ତିମାନେ କୌଣସି ପ୍ରକାର ନିର୍ଯ୍ୟାତନା ଭୋଗୁଥିଲେ ସେମାନେ ତୁରନ୍ତ ୧୦୦ ନଂକୁ କଲ୍ କରିପାରନ୍ତି ବୋଲି ରବିବାର ଦିନ ଓଡିଶା ପୋଲିସ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି ।


ଜମ୍ମୁ ଓ କାଶ୍ମୀରରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ହେବା ପରେପରେ ଡେରାଡୁନ୍, ଯୋଧପୁର, ପଞ୍ଚକୁଲା, ଦିଲ୍ଲୀ ଓ ପାଟଣା ଭଳି ସ୍ଥାନମାନଙ୍କରେ ହିଂସାକାଣ୍ଡର ଅଭିଯୋଗ ଆସିବା ପରେ ଓଡିଶା ପୋଲିସ ଏଭଳି ଟ୍ୱିଟ୍ କରିଛି ।

ଅନ୍ୟପକ୍ଷରେ ଓଡିଶାରେ କେତେଜଣ କାଶ୍ମିରୀ ବ୍ୟକ୍ତିମାନେ ରହୁଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିନଥିବାବେଳେ କିଛି ଛାତ୍ରମାନେ ଏଠାରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ନେଇ ସୁତ୍ରରୁ ପ୍ରକାଶ ।

“ରାଜ୍ୟର ସମସ୍ତ ଥାନାରେ ଥିବା ଭାରପ୍ରାପ୍ତ ଅଧିକାରୀମାନଙ୍କୁ ଏନେଇ ନିରାପତ୍ତା ବ୍ୟବସ୍ଥା ସୁଦୃଢ କରିବାକୁ ଅବଗତ କରି ଦିଆଯାଇଛି । ଏକ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ଥାନାଧିକାରୀଙ୍କୁ ଅବଗତ କରି କୁହାଯାଇଛି ଯେ, ଯେଉଁ ସ୍ଥାନ ମାନଙ୍କରେ ସରକାରୀ ବା ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି, ସେହି ଅନୁଷ୍ଠାନ ଗୁଡିକର ସହଯୋଗରେ ଅନୁରୂପ ବା ଆବଶ୍ୟକୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି” ବୋଲି ଅତିରିକ୍ତ ପୋଲିସ କମିଶନର ଅନୂପ ସାହୁ ଜଣାଇଥିବା କଥା ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.