ପୁରୀ: ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ପୁରୀରେ ପୋଲିସ ଡିଜିଙ୍କ ଅଧକ୍ଷତାରେ ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ RAF, CRP, STU, SW, BSF, SSMSV, RPF, GRP ଉପସ୍ଥିତ ଥିବାବେଳେ ରଥଯାତ୍ରା ଦାୟିତ୍ଵରେ ଥିବା ୧୯ ବରିଷ୍ଠ ଆଇପିଏସ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ। ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି।
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରଥଯାତ୍ରା ପାଇଁ ୧୩ ହଜାର ପୋଲିସ ଅଧିକାରୀ, କର୍ମଚାରୀ ଓ ହୋମଗାର୍ଡ ମୁତୟନ ହେବେ। ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ମୁତୟନ ହେବେ। ଏନ୍ ଏସ୍ ଜି ମଧ୍ୟ ମୁତୟନ ହେବେ।
ସେହିପରି କୋଷ୍ଟ ଗାର୍ଡ ଓ ନାଭି ତଟରକ୍ଷା ଦାୟିତ୍ଵରେ ରହିବେ। ରେଲୱେ ଷ୍ଟେସନରେ ଜିଆରପି ଓ ଆରପିଏଫ ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ। ମହାପ୍ରଭୁଙ୍କ ଆଶିର୍ବାଦ ଓ ଜନସାଧାରଣଙ୍କ ସହଯୋଗରେ ସୂଚାରୁରୂପେ ରଥଯାତ୍ରା ସମ୍ପାଦନ ହେବ ବୋଲି ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି। ଅନ୍ୟପଟେ ରଥଯାତ୍ରାରେ ନିୟୋଜିତ ସମସ୍ତ ଅଧିକାରୀ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବେ। ଶ୍ରଦ୍ଧାଳୁ ମାନଙ୍କ ସହିତ ଉତ୍ତମ ବ୍ୟବହାର କରିବେ। ଶ୍ରଦ୍ଧାଳୁଙ୍କ ସହିତ ବନ୍ଧୁତା ରକ୍ଷା କରି ପୋଲିସ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିବା ଅତିରିକ୍ତ ଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ତେବେ ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ହୋଇଥିବା ବେଳେ ୭ ଜଣ କମାଣ୍ଡାଣ୍ଟ ବା ଏସପି ରାଙ୍କର ଅଧିକାରୀ ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ। ୨୭ ଟି ସ୍ଥାନରେ କରାଯାଇଛି ପାର୍କିଂ ବ୍ୟବସ୍ଥା। ଟ୍ରାଫିକ ସୁପରିଚାଳନା ପାଇଁ ବିଭିନ୍ନ ସେକ୍ଟର ସହିତ ମୋବିଲିଟି ପ୍ଲାନ୍ କରାଯାଇଛି। ତାଳବଣିଆ, ସମଙ୍ଗ, ମାଳତୀପାଟପୁର ପାର୍କିଂ ଠାରୁ ଶ୍ରଦ୍ଧାଳୁଙ୍କୁ ମାଗଣା ଅଟୋ ସେବା ପ୍ରଦାନ କରାଯିବ ବୋଲି ଟ୍ରାଫିକ କମିଶନର ଅମିତାଭ ଠାକୁର କହିଛନ୍ତି।