ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରି ଓଡ଼ିଶା କ୍ରାଇମବ୍ରାଞ୍ଚ ଦୁଇ ଜଣ ଫେରାର ବ୍ୟକ୍ତିଙ୍କ ବିରୁଦ୍ଧରେ ଲୁକଆଉଟ୍ ସର୍କୁଲାର ନୋଟିସ ଜାରି କରିଛି। ଅଭିଯୁକ୍ତମାନଙ୍କୁ ଦେଶ ଛାଡିବାରୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଇମିଗ୍ରେସନ ବ୍ୟୁରୋକୁ ମଧ୍ୟ ସୂଚନା ଦେଇଛି।
ତେବେ ଲୁକଆଉଟ୍ ସର୍କୁଲାର ହେଉଛି ଆଇନଗତ ତଦନ୍ତର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କର ଯାତାୟାତ ଉପରେ ରୋକ୍ ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସ।
ଦୁଇ ଅଭିଯୁକ୍ତ ମୁନା ମହାନ୍ତି ଏବଂ ଶଙ୍କର ପୃଷ୍ଟିଙ୍କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ରାଜ୍ୟ ଏବଂ ରାଜ୍ୟ ବାହାରେ ପ୍ରୟାସ କରି ଅତି କମରେ ସାତଟି ରାଜ୍ୟ ଗସ୍ତ କରିଥିବା ଜଣାପଡ଼ିଛି। ଏଥି ସହିତ ଅଭିଯୁକ୍ତ ମଧ୍ୟସ୍ଥି ମୁନା ମହାନ୍ତି ଏବଂ ଶଙ୍କର ପୃଷ୍ଟିଙ୍କ ସମେତ ଆଠ ଜଣ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ବର୍ତ୍ତମାନ୍ ସୁଦ୍ଧା ଏହି ଆକାଉଣ୍ଟଗୁଡ଼ିକରୁ ପାଞ୍ଚ ଲକ୍ଷ ଟଙ୍କା ଜବତ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଏସଆଇ ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ହେବା ପରେ ଏହି ମାମଲା ଆରମ୍ଭ ହୋଇଥିଲା। ଯାହାପରେ ବ୍ରହ୍ମପୁର ପୋଲିସ ପ୍ରଥମେ ତଦନ୍ତ ଆରମ୍ଭ କରି ରାଜ୍ୟ ବାହାରେ ଚଢାଉ କରିଥିଲା। ପରବର୍ତ୍ତୀ ସମୟରେ ମାମଲାଟିକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।ଏପର୍ଯ୍ୟନ୍ତ ଏହି ମାମଲାରେ ୧୧୪ ଜଣ ଚାକିରି ଆଶାୟୀଙ୍କ ସମେତ ୧୧୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।ଗିରଫ ପରେ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରି ପୋଲିସ ପ୍ରତିଷ୍ଠାନ ବିଷୟରେ ଜାଣିବାକୁ ପାଇଥିଲା। ପରେ କ୍ରାଇମବ୍ରାଞ୍ଚ ଭୁବନେଶ୍ୱରର ବାନିକ କୋଚିଂ ପ୍ରତିଷ୍ଠାନରେ ମଧ୍ୟ ଚଢାଉ କରି ସେଠାକାର ତିନି ଜଣ ଅଧିକାରୀଙ୍କୁ ଜେରା କରିଥିଲା।
Comments are closed.