Latest Odisha News

BREAKING NEWS

ଢେଙ୍କାନାଳ ସେଲଟର୍ ହୋମ ଘଟଣା: ୧୧ ନାବାଳିକାଙ୍କୁ ଉଦ୍ଧାର କରିବ ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିକିରିର ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ ସେଣ୍ଟର୍’ ପରିଚାଳିତ ସେଲଟର୍ ହୋମରେ ଥିବା ୧୧ ଜଣ ନାବାଳିକା ଅନ୍ତେବାସିନୀଙ୍କୁ ପୋଲିସ ଉଦ୍ଧାର କରିବ । ଏହି ନାବାଳିକା ଅନ୍ତେବାସିନୀଙ୍କୁ ଜିଲ୍ଲା ପ୍ରଶାସନର ବିନା ଅଗୋଚରରେ ଅନ୍ୟ ରାଜ୍ୟକୁ ପଠାଇଦିଆଯାଇଛି ।

ରବିବାର ଦିନ ପୋଲିସ ପକ୍ଷରୁ ଏହି ସେଲଟର୍ ହୋମକୁ ସିଲ୍ କରିବା ସମୟରେ ୧୧ ଜଣ ଅନ୍ତେବାସିନୀ ନଥିବାର ଜଣାପଡ଼ିଥିଲା । ଏହି ସେଲଟର୍ ମଧ୍ୟରେ ରହିଥିବା ସମସ୍ତ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରୀତ କରିବା ସମୟରେ ଏଠାରେ ୧୧ଜଣ ନାବାଳିକା ନଥିବାର ସୂଚନା ମିଳିଥିଲା ।

ପୋଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ସେଲଟର୍ ହୋମରେ ୮୧ଜଣ ଅନ୍ତେବାସୀ ରହୁଥିବା ବେଳେ ସେଥିମଧ୍ୟରୁ ୪୭ ଜଣ ନାବାଳିକା ଏବଂ ୩୪ ଜଣ ନାବାଳକ ରହୁଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣ ନାବାଳିକାଙ୍କୁ ସେଲଟର୍ ହୋମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନ୍ୟ ରାଜ୍ୟକୁ ପଠାଇଦିଆଯାଇଛି ।

ଗଣମାଧ୍ୟମକୁ ରବିବାର ଦିନ ସୂଚନାଦେଇ ଢେଙ୍କାନାଳ ଏସପି ସନ୍ତୋଷ କୁମାର ନାୟକ କହିଛନ୍ତି, ଏହି ସେଲଟର୍ ହୋମର ପ୍ରୋଜେକ୍ଟ ଡ଼ାଇରେକ୍ଟର ତଥା ଏହି ଆଶ୍ରୟ ନିବାସର ଇନଚାର୍ଜ ସିମାଞ୍ଚଳ ନାୟକ (୩୯)ଙ୍କୁ ଗିରଫ କରାଯିବା ସହିତ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଉଦିତ କୁମାର ଲିମା (୪୬) ଏବଂ ଏହି ସେଲଟର୍ ହୋମର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ଫୟାଜ୍ ଅହମ୍ମଦଙ୍କୁ ପୋଲିସ କଟକ ଫୁଲନଖରା ଅଞ୍ଚଳସ୍ଥ ମୁଖ୍ୟ କାର୍ଯ୍ୟାଳୟରୁ ଗିରଫ କରିଛି ।

ଢେଙ୍କାନାଳ ଜିଲ୍ଲା ଏସପି ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଏହି ସେଲଟର ହୋମର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ କୋଲକାତା ଏବଂ ଆମେରିକାରେ ରୁହନ୍ତି, ସେ ଏହିପରି ଓଡ଼ିଶାରେ ୨୨ଟି ସେଲଟର୍ ହୋମ, ପଶ୍ଚିମବଙ୍ଗରେ ୭ଟି ଏବଂ ଝାଡ଼ଖଣ୍ଡରେ ଗୋଟିଏ ସେଲଟର୍ ହୋମ ପରିଚାଳନା କରୁଛନ୍ତି ।

ଏହି ସେଲଟର ହୋମରେ ରହୁଥିବା ୩ଜଣ ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହେବାପରେ ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

ଏହି ସେଲଟର୍ ହୋମକୁ ରବିବାର ଦିନ ସ୍ଥାନୀୟ ତହସିଲଦାର ଉଦୟ ମହାପାତ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡ଼ିସିପିଓ) ଅନୁରାଧା ଗୋସ୍ୱାମୀଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା ।

ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ସୂଚନାନୁଯାୟୀ, ଏହି ସେଲଟର୍ ହୋମରେ ରହିଥିବା ସମସ୍ତ ଅନ୍ତେବାସୀଙ୍କୁ ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗୋବିନ୍ଦପୁରରେ ଥିବା ଦୟାନନ୍ଦ ସର୍ଭିସ ସେଣ୍ଟର ଏବଂ କାଠଗଡ଼ାସ୍ଥିତ ଓପନ ସେଲଟରକୁ ସ୍ଥାନାନ୍ତରୀତ କରାଯାଇଛି ।

“ଆଗକୁ ପିଲାମାନଙ୍କର ପରୀକ୍ଷା ରହିଥିବା ହେତୁ ସେମାନଙ୍କର ପାଠପଢାରେ ଯେପରି ବ୍ୟାଘାତ ନ’ଘଟେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ଯାହାଫଳରେ କି ଏହି ଅନ୍ତେବାସୀମାନେ ବିନା ବାଧାବିଘ୍ନରେ ପରୀକ୍ଷାରେ ବସିପାରିବେ ।”

Leave A Reply

Your email address will not be published.