Latest Odisha News

ପୂଜା ପେଣ୍ଡାଲ ପଲିଟିକ୍ସ: ମୋହନ Vs ନବୀନ

ଭୁବନେଶ୍ୱର: ପୂଜାରେ ଜମିଲା ରାଜନୀତିର ରଙ୍ଗ। ମାଆଙ୍କ ଶରଣରେ ଉଭୟ ଶାସକ ଓ ବିରୋଧୀ। ଦେବୀଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ। ଶକ୍ତି ସ୍ବରୂପିଣୀଙ୍କୁ ଆରାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶାରଦୀୟ ଦୁର୍ଗାପୂଜାରେ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବା ବେଳେ ଦୁଇ ନେତା ରାଜଧାନୀରେ ବିଭିନ୍ନ ପେଣ୍ଡାଲ ବୁଲି ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପଙ୍କ ପାଇଁ ବଡ ଘୋଷଣା କରିଛନ୍ତି ତ ରାଜଧାନୀରେ ଉଭୟ ମୋହନ ଓ ନବୀନଙ୍କ ପାଇଁ ଲୋକଙ୍କ କ୍ରେଜ୍ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି

ମଣ୍ଡପ ବୁଲିଲେ, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାରା ରାଜ୍ୟରେ ସବୁ ଦୁର୍ଗାପୂଜା ମଣ୍ଡପର ଭଡା ଛାଡ କରିବାକୁ ଘୋଷଣା କରିଛନ୍ତି। ଫଳରେ ଏଣିକି ପୂଜା ମଣ୍ଡପ ତଥା ଷ୍ଟାଣ୍ଡ ପାଇଁ କମିଟିକୁ ଆଉ କୌଣସି ଦେୟ ଦେବାକୁ ପଡିବନି। ଦୁର୍ଗାଷ୍ଟମୀରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆସୁଥିବା ଜମ୍ବେଶ୍ବର ପାଟଣା ସାହିରେ ପହଞ୍ଚି ଦେବୀ ଦୁର୍ଗାଙ୍କ ଆରାଧନା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ସୁନ୍ଦରପଦା, ବରମୁଣ୍ଡା, ନୂଆପଲ୍ଲୀ ସହ ରାଜଧାନୀର ବିଭିନ୍ନ ପେଣ୍ଡାଲରେ ମାଆଙ୍କ ଦର୍ଶନ କରିଥିଲେ।

କମିନି ନବୀନ କ୍ରେଜ୍

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମାଆଙ୍କ ଆଶିଷ ମାଗିଛନ୍ତି। ନବୀନଙ୍କୁ ପାଖରେ ଦେଖି ବେଶ୍ ଉତ୍ସାହିତ ହୋଇଥିଲେ ଲୋକେ। ପୂଜା ପେଣ୍ଡାଲରେ ଦେଖିବାକୁ ମିଳିଥିଲା ନବୀନ କ୍ରେଜ୍। ମଣ୍ଡପ ବୁଲିବା ପାଇଁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିଲେ। ପୂର୍ବରୁ ଗଣେଶ ପୂଜା ବେଳେ ମଧ୍ୟ ପୂଜା ମଣ୍ଡପ ବୁଲି ଲୋକଙ୍କ ସହ କଥା ହୋଇଥିଲେ ନବୀନ।

କାହିଁକି ମଣ୍ଡପ ବୁଲିଲେ ?

ଉଭୟ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଲୋକଙ୍କ ପାଖରେ ପହଞ୍ଚ ବଢାଇବାକୁ ଚାହୁଁଛନ୍ତି। ପୂଜା ସମୟରେ ଫୋକସରେ ରହିଛନ୍ତି ଯୁବବର୍ଗ। ସାଧାରଣତଃ ଗହଳିରେ ନବୀନଙ୍କୁ ଦେଖିବାକୁ ମିଳୁନଥିବା ବେଳେ ନିର୍ବାଚନ ହାରିବା ପରଠୁ ରାଜନୈତିକ ଭାବେ ବେଶ୍ ଚଳଚଞ୍ଚଳ ହୋଇ ପଡିଛନ୍ତି। ଗତ ମାସରେ ଗଣେଶ ପୂଜା ବେଳେ ସେ ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ। ବିଜେଡି ମଧ୍ୟ ସର୍ବସାଧାରଣରେ ଦଳର ସର୍ବୋଚ୍ଚ ନେତା ନବୀନଙ୍କ ଉପସ୍ଥିତି ବଢାଇବାକୁ ଉଦ୍ୟମ କରୁଛି। ସେହିପରି ଅପ୍ରତ୍ୟାଶିତ ଭାବେ ମୁଖ୍ୟମନ୍ତ୍ରୀ ହେବା ପରେ ଉଭୟ ବିଜେପି ଓ ରାଜ୍ୟରେ ନିଜ ନେତୃତ୍ବ ଜାହିର କରିବାକୁ ଚାହୁଁଛନ୍ତି ମୋହନ ମାଝୀ। ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରିଥିବା ମୋହନ ମାଝୀ ଲୋକଙ୍କ ପାଖରେ ପହଞ୍ଚି ସିଧାସଳଖ ସଂପର୍କ ଯୋଡିବାକୁ ଉଦ୍ୟମ କରୁଛନ୍ତି। ଓଡିଆ ଅସ୍ମିତାକୁ ମନ୍ତ୍ର କରି ଜନସେବାରେ ନିୟୋଜିତ ଥିବା ଦର୍ଶାଉଛନ୍ତି।

ଗଣତନ୍ତ୍ରରେ ଜନତା ହିଁ ଜନାର୍ଦ୍ଦନ। ପାର୍ବଣ ସହ ଲୋକଙ୍କ ଇମୋସନ୍ ସିଧାସଳଖ ଜଡିତ। ତେଣୁ ଏଭଳି ସମୟରେ ଲୋକଙ୍କ ଖୁସିରେ ସାମିଲ ହେବାକୁ ଭୁଲି ନାହାନ୍ତି ଶାସକ ଓ ବିରୋଧୀ। ଲୋକଙ୍କ ପାଖକୁ ଯାଇ ଦେବୀଙ୍କ ଦର୍ଶନ କରୁଛନ୍ତି। ଆଉ ନେତାଙ୍କୁ ପାଖରେ ଦେଖି ଉତ୍ସାହିତ ହେଉଛନ୍ତି ଜନତା। ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଛଡା ସବୁ ଦଳର ନେତା ପାର୍ବଣ ଋତୁରେ ଲୋକଙ୍କ ସହ ସାମିଲ ହୋଇଛନ୍ତି।

 

Leave A Reply

Your email address will not be published.