ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ହେଲେ ଏଥିପାଇଁ ସେମାନଙ୍କୁ କେବଳ ଅନଲାଇନରେ ନିଜର ନିଶୁଲ୍କ ପଞ୍ଜୀକରଣ କରିବାକୁ ପଡିବ ।
ଲୋକମାନେ ଓଡ଼ିଶା ରାଜଭବନ ୱେବସାଇଟ୍ www.rajbhavanodisha.gov.in. କିମ୍ବା ଆପ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ କରାଇଥିବା ସାଧାରଣ ଜନତା ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ । ସେହିପରି ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ ୮.୩୦ ରୁ ୧୦ଟା ମଧ୍ୟରେ ସେମାନଙ୍କ ସ୍କୁଲ ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲ ପୋଷାକ ଏବଂ ପରିଚୟପତ୍ର ସହିତ ପରିଦର୍ଶନ କରିପାରିବେ ।
ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ସମୟରେ ସାଙ୍ଗରେ କ୍ୟାମେରା, ଖାଦ୍ୟପେୟ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ଏବଂ ମଦ୍ୟପାନଯୁକ୍ତ ପାନୀୟ ସମେତ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ନ ନେବାକୁ ପରିଦର୍ଶକମାନଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ପରିଦର୍ଶକଙ୍କ ନୂତନ ଅଭିଷେକ ହଲ୍ ନିକଟସ୍ଥ ଗେଟ୍ ନମ୍ବର ୩ ଦେଇ ପ୍ରବେଶ କରିବା ବେଳେ ସୁରକ୍ଷା ବ୍ୟାରିକେଟ ନିକଟସ୍ଥ ଗେଟ୍ ଦେଇ ପ୍ରସ୍ଥାନ କରିବେ ।