Latest Odisha News

BREAKING NEWS

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ହୋଇପାରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୩ତମ ଜନ୍ମଦିନ । ରାଜ୍ୟର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ରାଜ୍ୟବାସୀ।

୧୯୨୭ ମସିହା ଆଜିର ଦିନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଠାରେ ଜନ୍ମ ଗ୍ରହଣ କରିଥିଲେ ରାଜ୍ୟର ଜଣେ ବିଚକ୍ଷଣ ରାଜନୀତିଜ୍ଞ ଭାବେ ପରିଚିତ ଜାନକୀ ବଲ୍ଲଭ ପଟ୍ଟନାୟକ । ଏହି ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା…

ଶ୍ରୀ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ନିଷ୍ଠାପର ସାରସ୍ୱତ ସାଧକ, ପ୍ରବୀଣ ସାମ୍ବାଦିକ ଓ ଦକ୍ଷ ଅନୁବାଦକ ମଧ୍ୟ ଥିଲେ ।

ଏହାବ୍ୟତୀତ ସେ ତିନି ତିନି ଥର ଓଡିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ବେଳେ କେନ୍ଦ୍ରରେ ମନ୍ତ୍ରୀ ଓ ଆସାମର ରାଜ୍ୟପାଳ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

୧୯୮୦ ମସିହାରେ ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳର ୧୧୭ ଜଣ ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏପରିକି ପ୍ରଥମଥର ପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ପରେ ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଥିଲେ ।

ସେ ଓଡିଶାର ଶିକ୍ଷା, ସାହିତ୍ୟ, କଳା, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ ।

ଆହୁରି ମଧ୍ୟ ସେ କଲେଜ ପଢିବା ସମୟରେ ହିଁ ପରାଧିନ ଭାରତବର୍ଷରେ ସ୍ୱାଧୀନ ଭାବେ ବଞ୍ଚିବା ଓ ମାତୃଭୂମି-ମାତୃଭାଷାର ଉନ୍ନତି ପାଇଁ ସ୍ୱପ୍ନ ଦେଖିଥିଲେ । ଯାହାଫଲରେ କୌଣସି ସରକାରୀ ଚାକିରୀ ତଥା ପଦବୀ ତାଙ୍କୁ ବିଚଳୀତ କରିପାରିନଥିଲା ।

ପରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ.ଏ ପାସ୍ କରିବା ପରେ ସେ ଇଂରାଜୀ ଦୈନ୍ଖଳ ‘ଇଷ୍ଟର୍ଣ୍ଣ ଟାଇମସ୍’ ଓ ଓଡିଆ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ସମ୍ପାଦକ ହୋଇପାରିଥିଲେ ।

ଜାନକୀ ପଟ୍ଟନାୟକ ଅନେକ ସାରସ୍ୱତ ସାଧନା କରିଥିବା ବେଳେ ମହାକାବ୍ୟ ‘ରାମାୟଣ’ ଓ ‘ମହାଭାରତ’ ର ଗଦ୍ୟରୂପ ସହିତ ସେ ସଂସ୍କୃତ ‘ଶ୍ରୀମଦ୍ ଭାଗବତ’ର ସମ୍ପୂର୍ଣ୍ଣ ଗଦ୍ୟାନୁବାଦ କରିଥିଲେ । ଏହାବ୍ୟତିତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ।

Leave A Reply

Your email address will not be published.