Latest Odisha News

BREAKING NEWS

ବୀର ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜନ୍ମବାର୍ଷିକୀ, ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ

ଭୁବନେଶ୍ୱର: ପରାଧିନ ଭାରତ ବର୍ଷରେ ବ୍ରିଟିଶ ଓ ମହାଜନ ଶାସନ ବିରୋଧରେ ଲଢେଇ କରି ସହିଦ ହୋଇଥିବା ବୀର ଲକ୍ଷ୍ମଣ ନାୟକଙ୍କ ଆଜି ଜନ୍ମବାର୍ଷିକୀ ।

ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ମାଲକାନଗିରି ତାଲୁକର ତେନ୍ତୁଳିଗୁମ୍ମା ଗ୍ରାମରେ ୨୨ ନଭେମ୍ବର ୧୮୯୯ରେ ତାଙ୍କର ଜନ୍ମ । ତାଙ୍କ ପିତା ପଦଲମ ନାଏକ ଥିଲେ ଜୟପୁର ମହାରାଜାଙ୍କ ଜଣେ କର୍ମଚାରୀ। ଏପରିକି ସେ ପ୍ରାୟ ୪ ଖଣ୍ଡ ଗ୍ରାମର ମୁସ୍ତାଦାର ଭାବେ ନିଯୁକ୍ତି ପାଇଥିଲେ ।

ଫଳରେ ଜଣେ ମୁସ୍ତାଦାରର ପୁଅ ଭାବେ ସହିଦ ଲକ୍ଷ୍ମଣଙ୍କ କୌଣସି ଅଭାବ ଅନଟନ ନଥିଲା । କିନ୍ତୁ ସେ ଭିନ୍ନ ଉପାଦାନରେ ଗଢାଥିଲେ । ହାତପାହାନ୍ତାରେ ସବୁ କିଛି ମିଳି ଯାଉଥିଲେ ମଧ୍ୟ ଚାଷଜମିରେ ହାଡଭଙ୍ଗା ପରିଶ୍ରମ ଓ ଗୃହପାଳିତ ପଶୁଙ୍କୁ ଚରାଇବାରେ ତାଙ୍କୁ ଆନନ୍ଦ ମିଳୁଥିଲା ।
ଆଦିବାସୀ ସମ୍ପ୍ରଦାୟ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ନେଇ ତାଙ୍କ ମନରେ ତରୁଣ ବୟସରୁ ବିଦ୍ରୋହ ଜାଗ୍ରତ ହୋଇଥିଲା । ପରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜାରି ସ୍ୱାଧୀନତା ଆନ୍ଦୋଳନରେ ସେ ସାମିଲ ହୋଇଥିଲେ । ତା’ ପରଠାରୁ ହାତରେ ଖଣ୍ଡେ ବାଡି ଓ କାନ୍ଧରେ ଗାନ୍ଧୀଚିତ୍ର ଥିବା ଏକ ଝୁଲା ପକାଇ ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲେ ।

୧୯୪୨ ମସିହା ଅଗଷ୍ଟ ବିପ୍ଲବ ଥିଲା ତାଙ୍କ ଜୀବନର ସବୁଠୁ ବଡ ଆହ୍ୱାନ । ଅଗଷ୍ଟ ୨୧ରେ ଶତାଧିକ ସ୍ୱାଧୀନତା ସଂଗ୍ରାମୀ ତାଙ୍କ ନେତୃତ୍ୱରେ ମାଥିଲି ହାଟରେ ବିକ୍ଷୋଭ କରିବା ସହ ‘ସ୍ୱରାଜ ନଆସିବା ଯାଏଁ କେହି ପଛକୁ ଲେଉଟିବେ ନାହିଁ’ ବୋଲି ନାରାବାଜି କରିଥିଲେ । ପରେ ଗିରଫ ହୋଇ କୋରାପୁଟ ଜେଲରେ ରହିଥିଲେ । ବିଚାର ପରେ ତାଙ୍କୁ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ଫାଶୀ ଖଉଣ୍ଟରେ ଝୁଲାଇ ଦିଆଯାଇଥିଲା ।

ଫାଶୀ ଖୁଣ୍ଟକୁ ଯିବାବେଳେ ତାଙ୍କର ଶେଷ କେଇ ପଦ ଆଜିବି ଅନେକ ଲୋକଙ୍କ ହୃଦୟକୁ ଆନ୍ଦୋଳିତ କରିପାରିଛି । “ସୂର୍ଯ୍ୟ ଯଦି ସତ୍ୟ, ଚନ୍ଦ୍ର ଯଦି ସତ୍ୟ ହୋଇଥାଏ, ତେବେ ଭାରତ ସ୍ୱାଧୀନ ହେବାଟା ସେହିପରି ସତ୍ୟ ହେବ” ।

ଏହି ଘଟଣାର ଠିକ୍ ୪ ବର୍ଷପରେ ଭାରତକୁ ସ୍ୱାଧୀନତା ପ୍ରାପ୍ତି ହୋଇଥିଲା । ସେଦିନ କୋରାପୁଟର ବନପ୍ରାନ୍ତରେ ସମସ୍ତେ ଗାଇ ଉଠିଥିଲେ ‘ଲକ୍ଷ୍ମଣ ନାଏକ ହେ ଲକ୍ଷ୍ମଣ ନାଏକ; ଦେଶ ଲାଗି ଫାଶୀଖୁଣ୍ଟରେ ଝୁଲାଇଲ ବେକ, ରଖିଗଲ ଓଡିଶାର ଟେକ’ ।

Leave A Reply

Your email address will not be published.