ଭୁବନେଶ୍ୱର: ଓଡ଼ିଶାରେ ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା ଜାରି ହୋଇଛି। ୧୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ ଲାଗିଲା କଟକଣା। ପୁରୁଣା ଗାଡ଼ିକୁ ନୂଆ ପରମିଟ୍ ମଧ୍ୟ ପ୍ରଦାନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରି ଗାଡ଼ିର ମାଲିକାନା ହସ୍ତାନ୍ତର କିମ୍ବା କୌଣସି ଟିକସ ଗ୍ରହଣ ଉପରେ ବି ଅଙ୍କୁଶ ଲାଗିଛି। STA ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଲାଗୁ କରିବାକୁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।
୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଗୁଡ଼ିକର ଓଡ଼ିଶା ମଧ୍ୟକୁ ପ୍ରବେଶ ଓ ପରିଚାଳନା ଉପରେ କଟକଣା ଲାଗୁ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିଥିବା ବାହାର ରାଜ୍ୟର କୌଣସି ବି ବାଣିଜ୍ୟିକ ଗାଡ଼ିକୁ ଓଡ଼ିଶାରେ ଚଳାଚଳ ପାଇଁ ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ।
ଏଥିସହିତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ RTOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏହିପରି ପୁରୁଣା ଗାଡ଼ିଗୁଡ଼ିକର ଠିକଣା ପରିବର୍ତ୍ତନ, ମାଲିକାନା ହସ୍ତାନ୍ତର କିମ୍ବା କୌଣସି ପ୍ରକାରର ପରିବହନ କର ଗ୍ରହଣ କରାଯାଇପାରିବ ନାହିଁ। ନ୍ୟ ରାଜ୍ୟର 10 ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ବାଣିଜ୍ୟିକ ଯାତ୍ରୀବାହୀ ଗାଡ଼ି ଯଥା ବସ୍ ଇତ୍ୟାଦି (Commercial passenger) ଆମ ରାଜ୍ୟରେ ମାଲିକାନା ପରିବର୍ତ୍ତନ କରିବା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି।
ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟର ଖରାପ ମାନର ଯାତ୍ରୀବାହୀ ବାଣିଜ୍ୟିକ ଗାଡ଼ି ଓଡ଼ିଶାକୁ ମାଲିକାନା ପରିବର୍ତ୍ତନ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କିନ୍ତୁ ଏହା ଦ୍ୱାରା ପୂର୍ବରୁ ଅନୁମତି ନେଇ ସାରିଥିବା ଗାଡ଼ିରେ କୌଣସି ଅସୁବିଧା ହେବ ନାହିଁ। ଅନୁମତି ଥାଇ କୌଣସି ଗାଡ଼ିର ଓଡ଼ିଶାରେ ଚଳାଚଳ ପାଇଁ କୌଣସି ସମସ୍ୟା ନାହିଁ। ଆମ ରାଜ୍ୟ ଗାଡ଼ି କିମ୍ବା Inter-state permit ଥିବା ଗାଡ଼ି ପାଇଁ ମଧ୍ୟ କୌଣସି ସମସ୍ୟା ନାହିଁ।
ସମସ୍ତ RTO ଓ ARTO ମାନଙ୍କୁ ଏହି ସଂସ୍କାରମୂଳକ ନିଷ୍ପତ୍ତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସଡ଼କ ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆସିବ, ସଡ଼କରେ ଅନୁପଯୁକ୍ତ ଗାଡ଼ି ହ୍ରାସ ପାଇବ ଏବଂ ପୁରୁଣା ଗାଡ଼ି ଜନିତ ପ୍ରଦୂଷଣ ମଧ୍ୟ ହ୍ରାସ ହେବ ବୋଲି ବିଭାଗ ଲକ୍ଷ୍ୟ ରଖିଛି।