El Nino challenge:ଏଲ୍ ନିନୋକୁ ସାମ୍ନା କରିବା ପାଇଁ ସମସ୍ତ ବିଭାଗ ମିଳିତ ଭାବେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର: ଚଳିତ ବର୍ଷ ‘ଏଲ୍ ନିନୋ’ ପ୍ରଭାବ ଯୋଗୁଁ କମ୍ ବୃଷ୍ଟିପାତ ହେବାର ଆଶଙ୍କା ଥିବାରୁ ଖରିଫ ଫସଲ ଯେପରି ପ୍ରଭାବିତ ନହେବ ସେଥିପାଇଁ କୃଷି, ଜଳସେଚନ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ‘Whole of Government’ ଆଭିମୁଖ୍ୟରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗକୁ ସ୍ୱତନ୍ତ୍ର ‘Contingency Plan’ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ (SLNCC) ସ୍ଥାନୀୟ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ସମ୍ପୂର୍ଣ୍ଣ ‘ଫୁଲ୍ ପ୍ରୁଫ୍’ ବ୍ୟବସ୍ଥା ବିକଶିତ କରିଛି। ଏହି ଫୁଲ୍ ପ୍ରୁଫ୍ ବ୍ୟବସ୍ଥାକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏକ ରାଜ୍ୟସ୍ତରୀୟ ମନିଟରିଂ ମେକାନିଜିମ୍ ଜରିଆରେ ବୃଷ୍ଟିପାତ, ଜଳସ୍ତର, କ୍ରପ-ପ୍ଲାନିଙ୍ଗ୍ ଏବଂ ସାର ଓ ବିହନ ଯୋଗାଣର ନିୟମିତ ତଦାରଖ କରାଯାଉଛି। ଚଳିତ ବର୍ଷ ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ ଯୋଗୁଁ ବିଶ୍ୱବ୍ୟାପୀ ସାର ସଙ୍କଟ ଦେଖାଦେଇପାରେ, ତେଣୁ ୟୁରିଆ ଓ କମ୍ପ୍ଲେକ୍ସ ସାର ଯୋଗାଣ ଉପରେ ତୀକ୍ଷଣ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ପର୍ଯ୍ୟାପ୍ତ ‘ନାନୋ ୟୁରିଆ’ ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବିଶେଷ କରି ସାରର କଳାବଜାରୀ ରୋକିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ‘ନିରକ୍ଷଣ ସମିତି’ ଗଠନ କରାଯାଇଛି ।
ମୋହନ ଚରଣ ମାଝୀ ଓଡ଼ିଶାର ଦକ୍ଷ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶାର ଏହି ସଫଳ ‘ଜିରୋ କାଜୁଆଲ୍ଟି’ (ଶୂନ୍ୟ ମୃତ୍ୟୁହାର) ନୀତି ଆଜି ବିଶ୍ୱବ୍ୟାପୀ ଆଦୃତ ହୋଇଛି। ନିକଟରେ ପୁରୀଠାରେ ଅନୁଷ୍ଠିତ ବ୍ରିକ୍ସ (BRICS) ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ରାଜ୍ୟର ଏହି ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରଶମନ ଓ ନିରାକରଣ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି ବୋଲି ସୂଚନା ଦେଇଛନ୍ତି।
ଚାଷୀ ଭାଇମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚାଷୀମାନଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର ‘ଅଦିନିଆ ବର୍ଷା’କୁ ଏକ ‘ରାଜ୍ୟ-ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ’ (State Specific Disaster ) ଭାବେ ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଭିତ୍ତିଭୂମି ପ୍ରସ୍ତୁତି କ୍ରମରେ ରାଜ୍ୟରେ ଥିବା ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଶ୍ରୟସ୍ଥଳୀ ପିଛା ୬ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି, ଯେଉଁଠାରେ ପାନୀୟ ଜଳ, ଆଲୋକ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା ପ୍ରାକ୍-ପ୍ରସ୍ତୁତି ସମୟରେ ହିଁ ସୁନିଶ୍ଚିତ କରାଯିବ। ଜାତୀୟ ସ୍ତରର କମନ ଆଲର୍ଟିଂ ପ୍ରୋଟୋକଲ (CAP) ମାଧ୍ୟମରେ SMS ପ୍ରେରଣ ବ୍ୟବସ୍ଥା, ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ୧୧୨ ହେଲ୍ପଲାଇନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ବିପର୍ଯ୍ୟୟ ସମୟରେ ଗୁଜବ ରୋକିବା ପାଇଁ ଟେଲିଭିଜନ ସହିତ ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲ୍ରେ ଲୋକଙ୍କୁ ସଠିକ୍ ଓ ନିର୍ଭୁଲ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ବିଶେଷ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନର ୨୦ଟି ଓଡ୍ରାଫ୍ (ODRAF) ଟିମ୍ ଏବଂ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ଥିବାବେଳେ, ରାଜ୍ୟରେ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି।
ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ସରକାର ଓ ଜନସାଧାରଣଙ୍କ ମିଳିତ ପ୍ରୟାସ ଏକାନ୍ତ ଆବଶ୍ୟକ ଏବଂ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବେ।
