Latest Odisha News

BREAKING NEWS

MKBY; ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା, ଟାଙ୍କା ସହ ଉପହାର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବା ଏମକେବିୱାଇକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ। ଆଉ ଏହି ଯୋଜନା ପାଇଁ ଆସିଲା ଗାଇଡ୍‌ଲାଇନ। ଗରିବ, ଅସହାୟଙ୍କୁ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ସରକାର। ସିଧାସଳଖ ଯୁବତୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ଦିବ୍ୟାଙ୍ଗ, ବିଧବା, ଏସସି-ଏସଟିଙ୍କୁ ମିଳିବ ଅଗ୍ରାଧିକାର। ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ।

୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ। ଯେଉଁ ଯୁବତୀ ଓ ଯୁବକ ପ୍ରଥମଥର ପାଇଁ ବିବାହ କରିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିଛି। ସେହିପରି ବିଧବାଙ୍କ ପୁନଃ ବିବାହ କ୍ଷେତ୍ରରେ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ। ମୋଟ ସହାୟତା ରାଶି ୫୧ ହଜାର ଟଙ୍କାରୁ ୩୫ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏଥିସହ ୧୦ ହଜାର ଟଙ୍କାର ଏକ ଗିଫ୍ଟ ପ୍ୟାକେଟ ସରକାରଙ୍କ ତରଫରୁ ମିଳିବ। ଏହି ଗିଫ୍ଟ ପ୍ୟାକେଟରେ ପାଉଞ୍ଜି, ଚୁଡି, ଟିକିଲି, ବାସନ, ଶାଢି ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯିବ। ଏହାସହ ବିବାହର ସାଜସଜ୍ଜା ପାଇଁ ସଂସ୍ଥାକୁ ୬ ହଜାର ଟଙ୍କା ଦିଆଯିବ। ଏନଜିଓ ଦ୍ୱାରା ଏହି ଅର୍ଥରାଶି ପ୍ରଦାନ କରାଯିବ।

ତେବେ ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ। ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ।

Comments are closed.