ନୂଆଦିଲ୍ଲୀ: ରେଳ ବଜେଟରେ ଏଥର ଓଡ଼ିଶାକୁ ରେକର୍ଡ ଅନୁଦାନ ମିଳିଛି । ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମୋଟ୍ ୯ହଜାର ୭୩୪ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି । ରେଳବାଇ କ୍ଷେତ୍ରରେ ପୂର୍ବରୁ ଏତେ ପରିମାଣର ଅନୁଦାନ କେବେ ମିଳି ନଥିଲା । ଯାହାକି ରେକର୍ଡ ଅନୁଦାନ ବୋଲି କୁହାଯାଉଛି ।
ଗତ ଆର୍ଥିକ ବର୍ଷ ଅପେକ୍ଷା ୨୦୨୨-୨୩ରେ ୭୬ ପ୍ରତିଶତ ଅଧିକ ଅନୁଦାନ ମିଳିଛି । ୨୦୨୨-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳ ବଜେଟରେ ୫ହଜାର ୫୨୮ କୋଟି ମିଳିଥିଲା । ସେହିପରି ଏଥର ଓଡ଼ିଶାର ଦାବି (୭୬୦୦କୋଟି) ତୁଳନାରେ ଢ଼େର ଅଧିକ ଅନୁଦାନ ମିଳିଛି ।
ଚଳିତ ବଜେଟରେ ୨୮୯ କି.ମି. ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ୍- ବଲାଙ୍ଗଲର ରେଳ ଲାଇନ ପ୍ରକଳ୍ପ ପାଇଁ ୮୯୧ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଟିଟିଲାଗଡ-ବିଜୟନଗରମ୍ ତୃତୀୟ ଲାଇନରେ ଆସନ୍ତା ଆର୍ଥିକ ବର୍ଷରେ ୯୬୧ କୋଟି ଟଙ୍କା ଖର୍ଚ୍ଚ ହେବ । ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ୍ ପାଇଁ ୮୦୦ କୋଟିର ବ୍ୟୟବରାଦ ରହିଛି । ଝାରୁସୁଗୁଡା-ବିଳାଶପୁର ଚତୁର୍ଥ ଲାଇନର ବିକାଶରେ ୭୧୭ କୋଟି ଟଙ୍କା ଖର୍ଚ୍ଚ ହେବ ।
ଅନୁଗୁଳ-ସୁକିନ୍ଦା ରୋଡ୍ ରେଳ ଲାଇନ ପାଇଁ ୪୭୫ କୋଟି, ତାଳଚେର-ବିମଳାଗଡ ରେଳ ଲାଇନ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି, ସମ୍ବଲପୁର-ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨ କୋଟି ଏବଂ ଯାତ୍ରୀ ସୁବିଧା ପାଇଁ ୩୦୪.୧୭ କୋଟି ମଞ୍ଜୁର ହୋଇଛି ।
ଜୟପୁର-ମାଲକାନଗିରିକୁ ୧୩କୋଟି ୮୦ ଲକ୍ଷ, ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ୮୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନୂଆପଡ଼ା-ଗୁଣୁପୁରରୁ ଥେରୁବାଲିକୁ ସଂପ୍ରସାରିତ ରେଳପଥରେ ଆସନ୍ତାବର୍ଷ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ।
Comments are closed.