ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୫ 
କାନରେ ଶୁଣୁଥିବା କଥା
ମନରେ ବୁଣୁଥିବା ଚିଂତା
ମଧ୍ୟରେ ଥିଲେ ସମନ୍ବୟ
ହୁଅଇ ଭାବନା ଉଦୟ
କାନ ଭାଷା ଓ ମନ ଭାଷା
ମଧ୍ୟରେ ଲାଗିଲେ ବଚସା
ଭାବନା ହୁଏନାହିଁ ସ୍ପଷ୍ଟ
କଥା କହିଲେ ହୁଏ ନଷ୍ଟ
କାନରେ କଥା ସବୁ ଶୁଣି
ବିନା ବିଚାରେ ନେଲେ ମାନି
ମନକୁ ମିଳିଥାଏ ଦୁଃଖ
କଥା କହିଲେ ନାହିଁ ସୁଖ
ତତ୍କାଳ ଦେଲେ ପ୍ରତିକ୍ରିୟା
ବଚନ ଅଯଥା ଦୁଷ୍କ୍ରିୟା
ପାଲଟି ଉପୁଜାଏ ଭ୍ରମ
ଏପରି ବାଣୀ ଅନୁତ୍ତମ
ପ୍ରଥମେ ନିଜର ମନରେ
ଯିଏ ବାକ୍ୟ ଗଠନ କରେ
ତାପରେ କରେ ଉଚ୍ଚାରଣ
ତା ବାଣୀ ନ ହୁଏ ନଗଣ୍ୟ
କଥା ବାହାରିଗଲେ ଥରେ
କେବେ ବି ପାଟିକୁ ନ ଫେରେ
କ୍ଷମା ମାଗିଲେ ବାରଂବାର
ହୁଏନି ବେଶି ଉପକାର
ମନକୁ କରିଲେ ସ୍ବାୟତ୍ତ
ହୁଏନି ଟିକେ ବିଚଳିତ
ମନ ସହିତ କଥା ଯୋଡ଼ି
ଭାଷାଟେ ପାରେ ଶୀଘ୍ର ବଢ଼ି
ଲିଖିତ ହେଲେ ମନକଥା
ମିଳେ ଭାଷାକୁ ନିରାପତ୍ତା
ହେଲେ ତା ସ୍ପଷ୍ଟ, ସୁନିର୍ଦିଷ୍ଟ
ସହଜେ ହୁଏନାହିଁ ନଷ୍ଟ
ମନୋଭାବ ବହନ କରି
ଭାଷାରେ ଜୀବନ ସଂଚାରି
କଥିତ ଭାଷା ପ୍ରଚଳିତ
ବଢ଼ାଏ ଭାବର ଗୁରୁତ୍ୱ
ଭାବ ସହିତ ଜ୍ଞାନ ମିଶି
ଭାଷାକୁ କଲେ ଅବିନାଶୀ
ତା ହୁଏ ଅତୁଲ୍ୟ ସଂପଦ
ସମାଜ ପାଇଁ ନିରାପଦ
ଭାଷୀଏ ଦୃଢ଼ କଲେ ମନ
କରଂତି ଅସାଧ୍ୟ ସାଧନ
ଭାଷାର ଅଂତର୍ଗତ ଗୁଣ
ଭାଷୀଏ କରଂତି ଧାରଣ
ଆଗ୍ରହୀ ଜନସାଧାରଣ
ହୁଅଂତି ଭାଷା ସଚେତନ
ପ୍ରାଚୀନ ସହିତ ନୂତନ
ମିଶାଇ ବିତାଂତି ଜୀବନ


Comments are closed.