Latest Odisha News

ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା: ପ୍ରଥମ ସ୍ଥାନ ଅଧିକାର କଲା ମୟୂରଭଞ୍ଜ ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟର ପାଇପ ବ୍ୟାଣ୍ଡ

ଭୁବନେଶ୍ବର: ଜାନୁୟାରୀ ୨୧ ଓ ୨୨ ତାରିଖ ଦୁଇ ଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା) ବିଭାଗରେ ଅଂଶ ଗ୍ରହଣ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରାଇଜ୍ ସହ ୨୧ ହଜାର ଟଙ୍କା ପୁରସ୍କାର ରାଶି ଜିତିଛନ୍ତି ।

ପ୍ରକାଶଥାଉକି ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ଗତ ନଭେମ୍ବର ୧୬ ତାରିଖରେ ରାଜ୍ୟସ୍ତରରେ ଆୟୋଜିତ ବ୍ୟାଣ୍ଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହା ସହିତ ଗତ ଡିସେମ୍ବର ୨୨ ତାରିଖରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୯, ଭୁବନେଶ୍ୱର ଠାରେ ଓଡିଶା ଦ୍ୱାରା ଆୟୋଜିତ ପୂର୍ବ ଜୋନ୍‌ ସ୍ତରୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ଜୀତୀୟ ସ୍ତରରେ ପ୍ରଦର୍ଶନ କରିବା ପାଇଁ ମନୋନିତ ହୋଇଥିଲା ।

ଏହି ବିରଳ ସଫଳତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା କର୍ମକର୍ତ୍ତା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଓଡିଶା ସରକାରଙ୍କୁ ଆବଶ୍ୟକୀୟ ସମସ୍ତ ସହଯୋଗ ପାଇଁ ବିଶେଷ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛନ୍ତି । ଏହି କ୍ରମରେ ଜାନୁଆରୀ ୨୨ ତାରିଖ ତଥା ଆଜି ଅପରାହ୍ନରେ ମେଜର ଧ୍ୟାନଚାନ୍ଦ ଜୀତୀୟ ଷ୍ଟାଡିୟମଠାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ପାଇପ୍‌ ବ୍ୟାଣ୍ଡ (ବାଳିକା) ବିଭାଗରେ ଜୀତୀୟସ୍ତରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟକୁ ବିଜୟ ଟ୍ରଫି, ମାନପତ୍ର ତଥା ଅର୍ଥରାଶି ପୁରସ୍କାର ରୂପେ ପ୍ରଦାନ କରାଯାଇଅଛି ।

ଉଦ୍‌ଯାପନୀ ଉତ୍ସବରରେ ଉକ୍ତ ବିଦ୍ୟାଳୟର ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବିଦ୍ୟାଳୟ ଶିକ୍ଷା ଓ ସ୍ବାକ୍ଷରତା ବିଭାଗର ସଚିବ ସଞ୍ଜୟ କୁମାର । ଏହି ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି. ଏସ୍‌ ଓ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ବିଜୟୀ ବ୍ୟାଣ୍ଡ ଦଳକୁ ଜାତୀୟ ସ୍ତରରେ ସଫଳତା ପାଇଁ ଭୂୟସୀ ପ୍ରସଂଶା କରିବା ସହିତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶକ୍ଷୟିତ୍ରୀ ତଥା ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଗାମୀ ଦିନରେ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟର ଏହି ବିରଳ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ତଥା ଅନ୍ୟ ଶୁଭେଚ୍ଛୁମାନେ ମତପ୍ରକାଶ କରିଛନ୍ତି ।

Comments are closed.