Latest Odisha News

ପିଏମ୍ ପୋଷଣ ଯୋଜନାରେ ଓଡିଶାରେ ସ୍କୁଲ ଗୁଡ଼ିକରେ ଆରମ୍ଭ ହେବ ‘ତିଥି ଭୋଜନ’

ଭୁବନେଶ୍ୱର: କେନ୍ଦ୍ରର ପିଏମ୍ ପୋଷଣ ଯୋଜନାରେ ବିଦ୍ୟାଳୟ ଗୁଡ଼ିକରେ ‘ତିଥି ଭୋଜନ’ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି ସମ୍ପ୍ରଦାୟର ଲୋକମାନେ ଉତ୍ସବ ଏବଂ ପର୍ବପର୍ବାଣୀରେ ପିଲାମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇବା । ଏହି ଯୋଜନା ପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଉପରେ ଆଲୋଚନା କରିବା ଏବଂ କାର୍ଯ୍ୟକ୍ରମକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିବା ପାଇଁ ଜୁଲାଇ ୨୮ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ଶନିବାର ସରକାରୀ ସୂତ୍ରରୁ ପ୍ରକାଶ।

ପ୍ରଧାନମନ୍ତ୍ରୀ ପୋଷଣ ରାଜ୍ୟ ନୋଡାଲ ଅଫିସର ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖିଛନ୍ତି।

ତିଥି ଭୋଜନ ପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଉପରେ ଆଲୋଚନା ପାଇଁ ଜୁଲାଇ ୨୮ରେ ଏକ ବୈଠକ ବସିବ ବୋଲି ଆମେ ସମସ୍ତ ଡିଇଓଙ୍କୁ ଜଣାଇଛୁ। ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ରଘୁରାମ ଆୟର ଗଣମାଧ୍ୟମକୁ କହିଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ସିଭିଲ ସୋସାଇଟିର ସଦସ୍ୟମାନେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବେ ଏବଂ ଯେ କୌଣସି ସ୍ଥାନୀୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ୧୦୦ ଦିନରେ ଅତି କମରେ ଥରେ ଖାଦ୍ୟ ପ୍ରଦାନ କରିପାରିବେ ବୋଲି ସେ କହିଛନ୍ତି।

ଲୋକମାନେ ବିଶେଷ ଉପଲକ୍ଷେ କିମ୍ବା କୌଣସି ସ୍ମାରକୀ ଦିବସରେ ଖାଦ୍ୟ ପ୍ରଦାନ କରିପାରିବେ । ସୂଚନାଯୋଗ୍ୟ, ପ୍ରାକ୍-ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସ୍କୁଲଗୁଡ଼ିକ ପାଇଁ ପିଏମ୍ ପୋଷଣ ଯୋଜନା ଆରମ୍ଭ କରିଛନ୍ତି।

Comments are closed.