Latest Odisha News

BREAKING NEWS

ଓସଜାର ନୂତନ କର୍ମକର୍ତ୍ତା ନିର୍ବାଚନ: ସନ୍ଦୀପ ମିଶ୍ର ସଭାପତି ଓ ସମ୍ବିତ୍ ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର (ଓସଜା) ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ଆସନ୍ତା ଦୁଇବର୍ଷ ସକାଶେ ନୂଆ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଦସ୍ୟମାନେ ବିବିଧ ବିଷୟରେ ଆଲୋଚନା କରିବା ସହ ୨୦୧୯-୨୧ ବର୍ଷ ସକାଶେ ସଂଘର ନୂଆ କର୍ମକର୍ତ୍ତା ବଛାରେ ସାମିଲ ହୋଇଥିଲେ । ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଏକ ସେମିନାର୍ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବାର୍ଷିକ କ୍ରୀଡ଼ା ପୁରସ୍କାର ଭୁବନେଶ୍ୱର ସହ ଅନ୍ୟାନ୍ୟ ସହରରେ ଆୟୋଜନ ପାଇଁ ମଧ୍ୟ ବିଚାର କରାଯାଇ ଆସନ୍ତା ବର୍ଷର ଉତ୍ସବ କଟକରେ କରାଯିବା ସକାଶେ ନୀତିଗତ ନିଷ୍ପତ୍ତି ହୋଇଥିଲା । ରାଜ୍ୟର ପେସାଗତ କ୍ରୀଡ଼ା ସାମ୍ବାଦିକମାନଙ୍କୁ ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରଦାନ ବାବଦରେ ସଂଘ ନିଜ ଦାବି ଉପସ୍ଥାପନ ଜାରି ରଖିବ । ଆଗାମୀ ଦିନରେ ଏ ବାବଦର ପ୍ରସ୍ତାବ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ରାଜ୍ୟରେ ଅନୁଷ୍ଠିତ ହେଉଥିବା ବଡ଼ କ୍ରୀଡ଼ା ଉତ୍ସବ ସମୟରେ ଆକ୍ରେଡିଟେସନ୍ ପ୍ରଦାନ ବେଳେ ଓସଜାର ପରାମର୍ଶ କ୍ରୀଡ଼ା ଅଧିକାରୀମାନେ ଯେପରି ଗ୍ରହଣ କରିବେ ସେ ବାବଦରେ ପ୍ରୟାସ କରାଯିବ ।

ଅନ୍ୟ ରାଜ୍ୟଗୁଡିକରେ ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ ବେଳେ ସେଠାକାର କ୍ରୀଡ଼ା ସାମ୍ବାଦିକ ସଂଘକୁ ଆକ୍ରେଡିଟେସନ୍ ପ୍ରଦାନ କାର୍ଯ୍ୟଧାରାରେ ସକ୍ରିୟ ଭାଗ ନେବାକୁ ଦିଆଯାଉଥିବା ଉପରେ ବି ଆଲୋକପାତ ହୋଇଥିଲା । ଓସଜାର ୱେବସାଇଟ୍ ଅଧିକ ଗତିଶୀଳ କରାଯିବା ଏବଂ ସୋସିଆଲ ମିଡିଆରେ ଓସଜାର ଉପସ୍ଥିତି ଏବଂ ଖବର ପ୍ରଦାନର ଧାରା ଆରମ୍ଭ କରାଯିବା ଉପରେ ଆଲୋଚନା ହୋଇଥିଲା । ୫ଜଣ ନୂଆ ଆବେଦନକାରୀଙ୍କୁ ସଦସ୍ୟ ଭାବରେ ଗ୍ରହଣ କରାଯିବା ପାଇଁ ଏଜିଏମ୍ ଅନୁମତି ପ୍ରଦାନ କରିଥିଲା । ୨୦୧୯-୨୦ ଆର୍ଥିକ ବର୍ଷର ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ କୋଷାଧ୍ୟକ୍ଷ ହିମାଂଶୁ ପତି ମିଶ୍ର ।

ଶେଷରେ ଆସନ୍ତା ୨ ବର୍ଷ ପାଇଁ ନୂଆ ପଦାଧିକାରୀ ଚୟନ ପରମ୍ପରା ଅନୁଯାୟୀ ସର୍ବସମ୍ମତିରେ ଗୃହୀତ ହୋଇଥିଲା । ସଭାପତି ଭାବରେ ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ କେ. ରବି, ଉପସଭାପତି ଭାବେ ସଞ୍ଜୀବ ବିଶ୍ୱାଳ, ଦେବୀ ପ୍ରସନ୍ନ ମହାନ୍ତି, ସମୀକ୍ଷା ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ସମ୍ବିତ୍ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ତପନ କୁମାର ସ୍ୱାଇଁ, ଦେବାଶିଷ ସୁନ୍ଦରାୟ, ଜ୍ଞାନରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ଭାବେ ହିମାଂଶୁ ପତି ମିଶ୍ର ଦାୟିତ୍ୱ ଗ୍ରହଣ କରିଥିଲା ବେଳେ କାର୍ଯ୍ୟନିର୍ବାହୀ କମିଟିରେ ସୁଶାନ୍ତ ମହାନ୍ତି, ସନାତନ ପାଣି, ସୁରେଶ ସ୍ୱାଇଁ, ତନ୍ମୟ ଦାସ, ଶୁଭଲକ୍ଷ୍ମୀ ବଳ, ସମୀର ରାଉତ ଏବଂ ଶକ୍ତିପ୍ରସାଦ ନନ୍ଦ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.