Latest Odisha News

ଆଗ୍ରେସିଭ ମୁଡରେ ଲଢିବୁ, ଲଢେଇ ଜୋରଦାର ହେବ-ମନମୋହନ ସାମଲ

ଭୁବନେଶ୍ବର: ଦେଶର ବିକାଶ ଆଗେଇବ । ସେ ବିକାଶ ସହିତ ଓଡ଼ିଶା ପାଦ ମିଳାଇ ଚାଲିବ । ଓଡିଶା ରାଜନୀତିରେ ୟୁ ଟର୍ଣ୍ଣ ଆସିବ । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଯେପରି ଅକୁଣ୍ଠ ଚିତ୍ତରେ ଭୋଟ ଦେଇ ବିଜେପିକୁ ଦେଲେ ଓଡ଼ିଶାରେ ମଧ୍ୟ ସେମିତି ହେବ । ବିଜେଡି ଯେତେ କହିଲେ ବି ଆଗାମୀ ନିର୍ବାଚନରେ ଓଡ଼ଶାବାସୀ ଏକ ପାଖିଆ ଭୋଟ ଦେବେ । ଡବଲ ଇଞ୍ଜିନ ସରକାର ଚାଲିବ । ତିନି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏମିତି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ ଦଳୀୟ କର୍ମୀଙ୍କ ମନରେ ଜୋଶ ଭରି ଦେଇଛି । ସାରା ଦେଶରେ ବିଜେପି ଶିବିରରେ ଖୁସିର ଲହରୀ । ଖାଲି ୨୦୨୪ ନୁହେଁ,   ବିଧାନସଭା ନିର୍ବାଚନରେ ବି ଏହାର ପ୍ରଭାବ ପକାଇବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

ସାମଲ କହିଛନ୍ତି, ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ଯଥେଷ୍ଟ ଅଧିକ । ତେଣୁ ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି। ବିଜେଡ଼ିର ଭ୍ରଷ୍ଟାଚାର, ଦୁର୍ନୀତି ବିରୋଧରେ ଜବାବ ଦେବେ ଏବଂ ବିଜେପିକୁ ଭୋଟ ଦେବେ ।

ବିଜେଡି ସରକାରକୁ ଟାର୍ଗେଟ କରି ମନମୋହନ କହିଛନ୍ତି, ଏତେ ବର୍ଷର ଶାସନ କାଳ ମଧ୍ୟରେ ବିଜେଡି ରାଜ୍ୟରେ ନା ଜଳସେଚନ ବ୍ୟବସ୍ଥା କରିଛି, ଶୀତଳ ଭଣ୍ଡାର । କୃଷିଜନିତ ଶିଳ୍ପ ନାହିଁ । ଦେଢ କୋଟି ଯୁବକ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ଆଖି, ନାକ, କାନ ନ ଥିବା ସରକାର ଚାଲିଛି । ତେଣୁ ଏପରି ସରକାରଙ୍କୁ ଜନତା ଦୃଢ ଜବାବ ଦେବେ ବୋଲି କହିଛନ୍ତି ମନମୋହନ ସାମଲ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ତିନି ରାଜ୍ୟରେ ବିଜେପିର ବିପୁଳ ବଜୟ ଉପରେ ତର୍ଜମା କରିଥିଲା ବିଜେପି । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସାମଲ କହିଥିଲେ, ଏଥର ଦଳ ଆଗ୍ରେସିଭ ମୁଡରେ ଲଢିବ । ଲଢେଇ ଜୋରଦାର ହେବ । ଏ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ନେଇ ଲୋକଙ୍କ ମନରେ କ୍ରୋଧ ରହିଛି । ତେଣୁ ଓଡ଼ିଶାବାସୀ ଏଥର ବିଜେଡି ସରକାରକୁ ପ୍ରତ୍ୟାଖାନ କରିବେ ବୋଲି କହିଛନ୍ତି  ମନମୋହନ ସାମଲ ।

Leave A Reply

Your email address will not be published.